Categories: ଜାତୀୟ

ଶକ୍ତି ପରୀକ୍ଷାରେ ସିନ୍ଧେ ସଫଳ, ସପକ୍ଷରେ ୧୬୪ ଭୋଟ…

ମୁମ୍ବାଇ୍‌, ୪।୭ : ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ତାଙ୍କ ସରକାର ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଛନ୍ତି। ଫଳରେ ଏବେ ସିନ୍ଧେ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଶ୍‌ ହୋଇଛନ୍ତି। ବାଚସ୍ପତିଙ୍କ ଭୋଟ ମିଶି ଏହା ୧୬୫ ହୋଇଛି।

ଚାରିଜଣ ବିରୋଧୀ ବିଧାୟକ ଭୋଟ ଦେଇପାରି ନାହାନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ଅଶୋକ ଚୌହ୍ବାନ, କଂଗ୍ରେସର ବିଜୟ ୱାଡେଟିୱାର,ଏନସିପିର ଆନ୍ନା ବାନସୋଡେ, ଏନସିପିର ସାଙ୍ଗଗ୍ରାମ ଜଗତାପ ଅଛନ୍ତି। ସମସ୍ତ ଚାରିଜଣ ବିଧାୟକ ବିଳମ୍ବ କରିଥିଲେ। ସେମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା। ସରକାରଙ୍କ ବିରୋଧରେ ୯୯ ଜଣ ବିଧାୟକ ଭୋଟ ଦେଇଥିଲେ।

ଆସ୍ଥା ଭୋଟରେ ବିଜୟ ପରେ ବିଧାନସଭାରେ ବିଜୟୀ ଦଳର ବିଧାୟକମାନେ ଜୟଶ୍ରୀରାମ ସ୍ଲୋଗାନ ଦେଇଥିଲେ।

ଶିବସେନା ବିଧାୟକ ସନ୍ତୋଷ ବାଙ୍ଗଡ଼ ସିନ୍ଧେ ସରକାରଙ୍କୁ ସମର୍ଥନ କରି ଭୋଟ ଦେଇଛନ୍ତି। ସନ୍ତୋଷ ଉଦ୍ଧବ ଠାକ୍‌ରେଙ୍କ ଶିବିର ଛାଡ଼ି ସୋମବାର ସିନ୍ଧେଙ୍କ ଦଳରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ପିଜାଣ୍ଟ ଆଣ୍ଡ୍‌ ୱାର୍କର୍ସ ପାର୍ଟି ଅଫ ଇଣ୍ଡିଆର ଶ୍ୟାମ ସୁନ୍ଦର ସିନ୍ଧେ ମଧ୍ୟ ଏକନାଥ ସିନ୍ଧେ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି।

Share