Categories: ଜାତୀୟ

୪ରେ ସିନ୍ଧେଙ୍କ ଶକ୍ତି ପରୀକ୍ଷା

ମୁମ୍ବାଇ/ ନୂଆଦିଲ୍ଲୀ ,୨ା୭: ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ଓ ଭାଜପା ମେଣ୍ଟରୁ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିବା ଏକନାଥ ସିନ୍ଧେ ଆସନ୍ତା ୪ ତାରିଖରେ ବିଧାନସଭାରେ ଶକ୍ତିପ୍ରଦର୍ଶନ କରିବେ। ଜୁଲାଇ ୩ରୁ ମହାରାଷ୍ଟ୍ରର ୨ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଆରମ୍ଭ ହେବ। ସିନ୍ଧେ ସେଠାରେ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ଜଣାପଡ଼ିଛି। ଶନିବାର ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଗ୍ରହଣ କରାଯିବ। ରବିବାର ନୂଆ ବାଚସ୍ପତିଙ୍କୁ ବଛାଯିବ। ଭାଜପା ବିଧାୟକ ରାହୁଲ ନରଭେକର ଶୁକ୍ରବାର ଏହି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ବର୍ଷ ଫେବୃୟାରୀରେ କଂଗ୍ରେସର ନାନା ପାଟୋଲେ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା।
ନିକଟରେ ୩୯ ଶିବସେନା ବିଧାୟକ ଏବଂ ଅନ୍ୟ ଦଳ ଓ ସ୍ବାଧୀନ ପାର୍ଟିର ଆଉ ୧୦ ଏମ୍‌ଏଲ୍‌ଏଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି। ଏହାସହ ଭାଜପାର ୧୦୬ ବିଧାୟକ ରହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିନ୍ଧେ ଗୁରୁବାର ରାତିରେ ଗୋଆ ଯାଇ ବିଦ୍ରୋହୀ ବିଧାୟକଙ୍କୁ ଭେଟିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ତାଙ୍କୁ ସେଠାରେ ସ୍ବାଗତ କରିଥିଲେ।

Share