Categories: ଖେଳ

ସିନ୍ଧୁ, ସେନ୍‌ କ୍ୱାର୍ଟର ଫାଇନାଲରେ

କାଲଗାରି, ୮ା୭ (ପି.ଟି.): ଭାରତର ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ଏଠାରେ ଚାଲିଥିବା କାନାଡା ଓପନ ସୁପର ୫୦୦ ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ବିପକ୍ଷ ଖେଳାଳି ଜାପାନ ନାତସୁକି ନିଦାଇରାଙ୍କଠାରୁ ଓ୍ବାକଓଭର ପାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରିଛନ୍ତି। ଅନ୍ୟପକ୍ଷରେ ସେନ୍‌ ବ୍ରାଜିଲର ଓ୍ବାଇଗୋର କୋଲ୍‌ହୋଙ୍କ ବିପକ୍ଷରେ ୨୧-୧୫, ୨୧-୧୧ରେ ବିଜୟ ହାସଲ କରିଛନ୍ତି। ସିନ୍ଧୁ ବର୍ତ୍ତମାନ ୨୦୨୨ ଇଣ୍ଡୋନେସିଆ ମାଷ୍ଟର୍ସ ଚାମ୍ପିୟନ ଗାଓ ଫାଙ୍ଗ୍‌ ଜିଙ୍କୁ ଭେଟିବେ। ଚଳିତବର୍ଷ ଏସିଆ ମିକ୍ସଡ ଟିମ୍‌ ଚାମ୍ପିୟନଶିପ୍‌ରେ ଚାଇନାର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସେନ୍‌ ବର୍ତ୍ତମାନ ବେଲ୍‌ଜିୟମର ଜୁଲିଏନ୍‌ କାରାଗୁଙ୍କୁ ଭେଟିବେ। କିନ୍ତୁ କ୍ରିଷ୍ଣା ପ୍ରସାଦ ଗରଗା ଓ ବିଷ୍ଣୁବର୍ଦ୍ଧନ ଗୌଡ଼ ପଞ୍ଜାଲା ପ୍ରି-କ୍ୱାର୍ଟର ପର୍ଯ୍ୟାୟ ଅତିକ୍ରମ କରିପାରି ନାହାନ୍ତି। ସେମାନେ ଇଣ୍ଡୋନେସିଆର ମହମ୍ମଦ ଅହସାନ ଓ ହେଣ୍ଡ୍ରା ସେଟିଆଓ୍ବାନଙ୍କଠାରୁ ହାରିଛନ୍ତି।

Share