Categories: ଖେଳ

ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ କ୍ୱାର୍ଟରଫାଇନାଲରେ

କୁଆଲାଲମ୍ପୁର, ୨୫ା୫ :ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ, ଏଚ.ଏସ୍‌ ପ୍ରଣୟ ଓ କିଡାମ୍ବି ଶ୍ରୀକାନ୍ତ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଡବଲ ଅଲିମ୍ପିକ ପଦକ ବିଜେତା ୬ଷ୍ଠ ସିଡ୍‌ ସିନ୍ଧୁ ମହିଳା ସିଙ୍ଗଲ୍ସରେ ଜାପାନର ଆୟା ଓହୋରିଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଦେଇଥିବା ବେଳେ ପ୍ରଣୟ ୩ ଗେମ୍‌ ବିଶିଷ୍ଟ ପୁରୁଷ ସିଙ୍ଗଲ୍ସରେ ଚାଇନାର ଶି’ ଫେଙ୍ଗ୍‌ ଲି’ଙ୍କୁ ପରାସ୍ତ କରିଛନ୍ତି। ଶ୍ରୀକାନ୍ତ ଇଣ୍ଡିଆ ଓପନ ଚାମ୍ପିୟନ ଏବଂ ୮ମ ସିଡ୍‌ ଥାଇଲାଣ୍ଡର କୁନ୍‌ଲାଭଟ ଭିଟିଡସରନଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ବିଶ୍ୱର ୧୩ ନମ୍ବର ସିନ୍ଧୁ ୨୮ ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଓହୋରିଙ୍କ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ପ୍ରି-କ୍ୱାର୍ଟରରେ ସେ ଜାପାନୀ ଖେଳାଳିଙ୍କୁ ୨୧-୧୬, ୨୧-୧୧ରେ ପରାସ୍ତ କରିଥିଲେ। ଜାପାନୀ ଖେଳାଳିଙ୍କ ବିପକ୍ଷରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୧୩ଟି ଗେମ୍‌ରେ ସିନ୍ଧୁ ବିଜୟ ଲାଭ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ଚାଇନାର ୟି ମାନ୍‌ ଝାଙ୍ଗ୍‌ଙ୍କୁ ଭେଟିବେ। ବିଶ୍ୱର ୯ ନମ୍ବର ପ୍ରଣୟ ବିଶ୍ୱର ୧୧ ନମ୍ବର ତଥା ଅଲ ଇଂଲଣ୍ଡ ଚାମ୍ପିୟନ ଲି’ଙ୍କ ବିପକ୍ଷରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୩-୨୧, ୨୧-୧୬, ୨୧-୧୧ରେ ବିଜୟୀ ହୋଇଛନ୍ତି। ଏହି ମ୍ୟାଚ ୧ଘଣ୍ଟା ୧୦ମିନିଟ ଧରି ଚାଲିଥିଲା। ପ୍ରଣୟ ପରବର୍ତ୍ତୀ ରାଉଣ୍ଡରେ ଜାପାନର କେଣ୍ଟା ନିଶିମୋତୋଙ୍କୁ ଭେଟିବେ, ଯିଏକି ୨୦୨୨ ଜାପାନ ଓପନ ଓ ସ୍ପେନ ମାଷ୍ଟର୍ସ ଜିତିଥିଲେ। ସେହିପରି ଶ୍ରୀକାନ୍ତ ୨୧-୧୯, ୨୧-୧୯ରେ ଭିଦିତଶରଣଙ୍କୁ ପରାସ୍ତ କରିଛନ୍ତି। ୨୦୨୧ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା କ୍ୱାର୍ଟରଫାଇନାଲରେ ଇଣ୍ଡୋନେସିଆର କ୍ୱାଲିଫାୟର ଖ୍ରିଷ୍ଟିିଆନ୍‌ ଆଦିନାତାଙ୍କ ସହ ମୁକାବିଲା କରିବେ। ଅନ୍ୟପକ୍ଷରେ ଲକ୍ଷ୍ୟ ସେନ୍‌ କିନ୍ତୁ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ହଂକଂର ଆଙ୍ଗସ ଏଙ୍ଗ କା ଲଙ୍ଗ୍‌ଙ୍କଠାରୁ ସେ ୧୪-୨୧, ୧୯-୨୧ରେ ପରାଜିତ ହୋଇଛନ୍ତି।

Share