ଦଶମୀରେ ସିନ୍ଦୂର ଖେଳ

ବାଲେଶ୍ୱର ସହରରେ ୨୦୦ବର୍ଷ ପୂର୍ବରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିବା କିମ୍ବଦନ୍ତୀ ରହିଛି। ସହରର ବାରବାଟୀ ଅଞ୍ଚଳରେ ବସବାସ କରୁଥିବା ଜମିଦାର ପରିବାର (କର ପରିବାର, ରାଜ ପରିବାର, ଦାସ ପରିବାର ଓ ମଣ୍ଡଳ ପରିବାର) ପକ୍ଷରୁ ଘଟ ପୂଜା ଆରମ୍ଭ ହୋଇଥିଲା। ଏହା ପାରିବାରିକ ଥିଲେ ମଧ୍ୟ ସାର୍ବଜନୀନ ପାଇଁ ଉଦ୍ଦିଷ୍ଟ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମିଳିତ ଭାବେ ଉକ୍ତ ଅଞ୍ଚଳର ଦେବୀବାଡ଼ି କୋଠାଘରେ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ବିଭିନ୍ନ କାରଣ ଯୋଗୁ ଉକ୍ତ ପରିବାରଗୁଡିକ ପକ୍ଷରୁ ଅଲଗା ଅଲଗା ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। କର ଘର ପକ୍ଷରୁ ଘଟ ପୂଜା ୧୮୨୨ରୁ ଆରମ୍ଭ ହୋଇଥିବା ବେଳେ ୧୮୬୨ ମସିହାରୁ ମୂର୍ତ୍ତି ପୂଜା ହୋଇଆସୁଛି। ଦୀର୍ଘ ୧୬୨ ବର୍ଷ ଧରି ହୋଇଆସୁଥିବା ମୂର୍ତ୍ତି ପୂଜାରେ ବିଶେଷ ଆକର୍ଷଣ ହୋଇରହିଛି ଦଶମୀ ଦିନ ମହିଳାଙ୍କ ମଧ୍ୟରେ ସିନ୍ଦୂର ଖେଳ।
କର ବଂଶ ଓ ଦୁର୍ଗା ପୂଜାର ଇତିହାସ ସମ୍ପର୍କରେ ଯାହା ଜଣାଯାଏ, ଏହି ବଂଶର ଲୋକଙ୍କ ମୂଳ ଘର ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲା ମାୟାପୁର ଅଞ୍ଚଳରେ। ମୁସଲମାନ ସୁବେଦାର ଓ ବର୍ଗୀ (ମରହଟ୍ଟା)ଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ୧୬୯୭ରେ କର ପରିବାରର ପଞ୍ଚାନନ କର ବାଲେଶ୍ୱର ବାରବାଟିକୁ ବାଣିଜି୍ୟକ ଉଦ୍ଦେଶ୍ୟ ନେଇ ଚାଲିଆସିଥିଲେ। ଏଠାରେ ତାଙ୍କ ବ୍ୟବସାୟର ଅଭିବୃଦ୍ଧି ହେଲା। ସେମାନେ ପରମିଟ୍‌ ଘାଟରୁ ଜାଭା, ସୁମାତ୍ରା, ବାଲି ଏବଂ ବ୍ରହ୍ମଦେଶ ସହ ବାଣିଜ୍ୟ କାରବାର କରୁଥିଲେ। ଏହାଛଡ଼ା କର ପରିବାର ଲୋକଙ୍କର ଭଦ୍ରକ, ଛାନୁଆ, ଚାନ୍ଦବାଲି ଆଦି ସ୍ଥାନରେ ବିଶାଳ ଜମିଦାରୀ ଥିଲା। ଏତେ ବଡ଼ ଜମିଦାରୀ ଓ ବ୍ୟବସାୟକୁ ଚଳାଇବା ପାଇଁ ଦୈବୀଶକ୍ତିର ଆଶୀର୍ବାଦ ଲାଭ ନିମନ୍ତେ ସେମାନେ ପୂଜା ଆୟୋଜନ କଥା ଚିନ୍ତା କଲେ। ୧୮୨୨ରେ କୋଲକାତାରୁ ହର, ପାର୍ବତୀ, ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ପିତ୍ତଳ ମୂର୍ତ୍ତି ଆଣି ପୂଜା ଆରମ୍ଭ କରିଥିଲେ। ପରେ ୧୮୬୨ରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଆୟୋଜନ ଆରମ୍ଭ କରିଥିବା କର ପରିବାରର ବରିଷ୍ଠ ସଦସ୍ୟ ସୁବ୍ରତ କର ପ୍ରକାଶ କରିଛନ୍ତି।
ଏଠାରେ ଦେବୀ ଦୁର୍ଗା ବେଶରେ ପୂଜା ନ ପାଇ ହରଙ୍କ ସହ ପାର୍ବତୀ ରୂପରେ ପୂଜା ପାଆନ୍ତି। ଦେବୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ରଥ ତିଥିରୁ ମାଟି ସଂଗ୍ରହ କରାଯାଏ। ଦେବୀଙ୍କ ସହ ଗଣେଶ, କାର୍ତ୍ତିକ, ସରସ୍ବତୀ ଏବଂ ଲକ୍ଷ୍ମୀ ପୂଜା ପାଆନ୍ତି। ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ୫୦ମହଣ କାଠ ଓ ୨୦ କିଲୋ ଘିଅରେ ହୋମ ହେଉଥିବାବେଳେ ଏହି ନିଆଁ ୩ ଦିନ ଧରି ପ୍ରଶମିତ ହୁଏ ନାହଁି। ପ୍ରଧାନ ଆଚାର୍ଯ୍ୟ ପୁସ୍ତକାଚାର୍ଯ୍ୟ, ଚଣ୍ଡୀ, ହୋତା, ଜପ, ତୁଳସୀ ଓ ପୂଜକ ଭାବେ ୭ଜଣ ବ୍ରାହ୍ମଣ ନିୟୋଜିତ ହୁଅନ୍ତି। ଷଷ୍ଠୀରେ ବୁଢ଼ାବଳଙ୍ଗ ନଦୀରୁ ଘଟତ୍ତୋଳନ ହୁଏ। ସପ୍ତମୀରେ ସାତ ମହଣ ଓ ଅଷ୍ଟମୀରେ ୫୦ ସେର ଚାଉଳରେ ନୈବେଦ୍ୟ କରାଯାଏ। ଦଶମୀରେ ଝିଅବୋହୂ ସିନ୍ଦୂର ଖେଳର ମଜା ନିଅନ୍ତି। ତେବେ ବିଜୟା ଦଶମୀ ଗୁରୁବାର ପଡ଼ିଲେ ମଧ୍ୟ ମୂର୍ତ୍ତି ବିସର୍ଜନ କରାଯାଏ ବୋଲି କର ପରିବାରର ସଦସ୍ୟ ବିକ୍ରମଜିତ୍‌ କର ସୂଚନା ଦେଇଛନ୍ତି।
– ମାନସ ବିଶ୍ୱାଳ, ବାଲେଶ୍ୱର

Share