ଚଳନ୍ତା ବିମାନରେ ଯାତ୍ରୀ କହିଲେ ମୋ ବ୍ୟାଗ୍‌ରେ ବୋମା ଅଛି, ଆଉ ତା’ପରେ…

ସିଙ୍ଗାପୁର,୨୯।୯: ସିଙ୍ଗାପୁରର ଏକ ବିମାନରେ ରୋଚକ ଘଟଣା ଘଟିଛି। ଚଳନ୍ତା ବିମାନରେ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଥିବା କହିବାରୁ ହଇଚଇ ସୃଷ୍ଟି ହୋଇଛି। ଏହି ବିମାନଟି ସାନ ଫ୍ରାନ୍ସିସ୍କୋରୁ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରକୁ ଯାଉଥିଲା। ଏହି ସମୟରେ ବିମାନରେ ବସିଥିବା ଜଣେ ଯାତ୍ରୀ ହଠାତ୍‌ କହିଥିଲେ ଯେ, ତାଙ୍କ ବ୍ୟାଗରେ ବୋମା ଅଛି। କେବଳ ଏତିକି ନୁହେଁ, ସେ କ୍ରୁ ସଦସ୍ୟମାନଙ୍କୁ ପିଟିବା ମଧ୍ୟ ଆରମ୍ଭ କରିଥିଲେ। ଏହାକୁ ନେଇ ବିମାନରେ ଉତ୍ତେଜନା ଦେଖାଦେଇଥିଲା। ତୁରନ୍ତ ସମ୍ପୃକ୍ତ ବିଭାଗକୁ ସୂଚନା ଦିଆଯାଇଥିଲା।
ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ବିମାନରେ ଉପସ୍ଥିତ ଯାତ୍ରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ଥିଲା। ବୋମା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଦୁଇଟି ଯୁଦ୍ଧ ବିମାନ ସିଙ୍ଗାପୁର ବାୟୁସେନା ଦ୍ୱାରା ବିମାନର ପଛ ପଟକୁ ପଠାଯାଇଥିଲା। ତେବେ ଏହି ସୂଚନା କେବଳ ଗୁଜବ ବୋଲି ଜଣାପଡିଛି।
ଚାଙ୍ଗି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଅବତରଣ କରାଯାଇଛି। ସେନା ତୁରନ୍ତ ବିମାନରେ ବୋମା ଧମକ ଦେଇଥିବା ଯାତ୍ରୀଙ୍କୁ ବାହରକୁ ଆଣିଥିଲେ। ବୋମା ଧମକ ମିଥ୍ୟା ଥିବା ପରେ ଜଣାପଡିଥିଲା। ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ପୋଲିସ ତଦନ୍ତ କରୁଛି।

Share