Categories: ଖେଳ

ଭାଙ୍ଗିଗଲା ସାଇନା, ଶ୍ରୀକାନ୍ତଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୧୨।୫: ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପକ୍ସରେ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ସତ୍ତ୍ୱେ ଟୋକିଓରେ ଚଳିତ ବର୍ଷ ହେବାକୁ ଯାଉଛି ଅଲିମ୍ପିକ୍ସ। ଏହି କ୍ରୀଡ଼ା ମହାକୁମ୍ଭର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ଲାଗି ଅନ୍ତିମ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ସିଙ୍ଗାପୁର ଓପନକୁ ବୁଧବାର ବାତିଲ କରି ଦିଆଯାଇଛି। ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଟୁର୍ନାମେଣ୍ଟ ଆଉ ଆୟୋଜିତ ହୋଇପାରିବ ନାହିଁ।

ଏହାର ଅର୍ଥ ଦେଶର ଦୁଇ ପୂର୍ବତନ ଟପ୍‌ ର଼୍ୟାଙ୍କଧାରୀ ଖେଳାଳି ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ। ୨୦୦୮ ବେଜିଂ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ସାଇନା ଅଲିମ୍ପିକ୍‌ ଗେମ୍ସ ଲାଗି ଟିକେଟ୍‌ ହାତେଇବାରେ ବିଫଳ ହୋଇଛନ୍ତି।

ମାଲେସିଆ ଓପନ ବାତିଲ ହେବା ପରେ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ସାଇନାଙ୍କ ଅନ୍ତିମ ଆଶା ଥିଲା ସିଙ୍ଗାପୁର ଓପନ। ହେଲେ ଏହାକୁ ମଧ୍ୟ କୋଭିଡ୍‌-୧୯ କାରଣରୁ ବାତିଲ କରିଦିଆଯାଇଛି। ଉଲ୍ଲେଖଯୋଗ୍ୟ, ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ପି. ଭି. ସିନ୍ଧୁ, ବି. ସାଇ ପ୍ରଣୀଥ ଓ ପୁରୁଷ ଡବଲ୍ସରେ ଚିରାଗ ଶେଟ୍ଟି-ସାତ୍ୱିକ୍‌ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡ଼ି ଯୋଗ୍ୟତା ଅର୍ଜନ କରିଛନ୍ତି।

Share