୨୦୨୩ର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର, ୮୦ତମ ସ୍ଥାନରେ ଭାରତ

ଅଷ୍ଟ୍ରେଲିଆ,୧୯।୭: ସିଙ୍ଗାପୁରର ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଗଣିତ ହୋଇଛି। ଅର୍ଥାତ୍‌ ଏହି ଦେଶର ନାଗରିକମାନେ ବିନା ଭିଜାରେ ୧୯୨ଟି ଦେଶକୁ ଯାତ୍ରା କରିପାରିବେ। ପାସପୋର୍ଟକୁ ର଼୍ୟାଙ୍କିଗଂ ପ୍ରଦାନ କରୁଥିବା ସଂଗଠନ ହେନଲି ଆଣ୍ଡ ପାର୍ଟନର୍ସ ୨୦୨୩ର ହେନଲି ପାସପୋର୍ଟ ଇଣ୍ଡେକ୍ସ ପ୍ରକାଶ କରିଛି।

ଏହି ର଼୍ୟାଙ୍କିଙ୍ଗରେ ଭାରତ ୮୦ତମ ସ୍ଥାନରେ ପହଞ୍ଚିଛି। ଗତ ବର୍ଷ ଭାରତ ୮୭ତମ ସ୍ଥାନରେ ଥିଲା। ଭାରତୀୟମାନେ ଏହାଦ୍ୱାରା ୫୭ଟି ଦେଶକୁ ବିନା ଭିଜାରେ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ ପାକିସ୍ତାନୀ ପାସପୋର୍ଟ ୧୦୦ତମ ସ୍ଥାନରେ ରହିଛି। ପାକିସ୍ତାନୀମାନେ କେବଳ ୩୩ଟି ଦେଶକୁ ବିନା ଭିଜାରେ ଯାତ୍ରା କରିପାରିବେ।

ସିଙ୍ଗାପୁର ପରେ ପରେ ଦ୍ୱିତୀୟ ସ୍ଥାନରେ ଜର୍ମାନୀ, ଇଟାଲୀ ଏବଂ ସ୍ପେନ ରହିଛନ୍ତି। ଏଠାରେ ନାଗରିକମାନେ ବିନା ଭିସାରେ ୧୯୦ଟି ଦେଶକୁ ଯାତ୍ରା କରିପାରିବେ। ଗତ ବର୍ଷ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ପ୍ରଥମ ସ୍ଥାନରେ ରହିଥିବା ଜାପାନ ଚଳିତ ବର୍ଷ ତୃତୀୟ ସ୍ଥାନକୁ ଖସି ଆସିଛି। ଦକ୍ଷିଣ କୋରିଆ, ଅଷ୍ଟ୍ରିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଲକ୍ସେମବର୍ଗ ଏବଂ ସ୍ବିଡେନ ମଧ୍ୟ ତୃତୀୟ ସ୍ଥାନରେ ଅଛନ୍ତି। ର଼୍ୟାଙ୍କିଙ୍ଗରେ ଆମେରିକାର ପାସପୋର୍ଟ ଅଷ୍ଟମ ଏବଂ ବ୍ରିଟେନର ପାସପୋର୍ଟ ଚତୁର୍ଥ ସ୍ଥାନରେ ରହିଛି।

Share