କେକେଙ୍କ ହୋଇଛି ସ୍ବାଭାବିକ ମୃତ୍ୟୁ, ଗୁରୁବାର ହେବ ଅନ୍ତିମ ସଂସ୍କାର

ବଲିଉଡର ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି । କୋଲକାତାରେ ଲାଇଭ କନ୍‌ସର୍ଟ ପରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। କେକେଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନରେ କେକେଙ୍କୁ ଗନ ସାଲ୍ୟୁଟ ଦିଆଯାଇଛି। କାଗଜପତ୍ର କାମ ସରିବା ପରେ ତାଙ୍କ ମରଶରୀରକୁ କୋଲକାତା ବିମାନବନ୍ଦରକୁ ଅଣାଯାଇଛି। ଆଜି ରାତି ୮.୧୫ରେ ବିମାନ ମୁମ୍ବାଇରେ ଅବତରଣ କରିବ। କେକେଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଭର୍ସୋଭାସ୍ଥିତ କମ୍ପ୍ଲେକ୍ସ ହଲରେ ରଖାଯିବ। ଗୁରୁବାର ସକାଳ ୯ଟା ପରେ ଭର୍ସୋଭା ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯିବ।
ଅନ୍ୟପକ୍ଷରେ କେକେଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଅସ୍ବାଭାବିକ ମୃତ୍ୟୁକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ମଙ୍ଗଳବାର ରାତିରେ କୋଲକାତାରେ ଏକ ଇଭେଣ୍ଟରେ ଲାଇଭ ଶୋ’ ଶେଷ କରି ହୋଟେଲ ଯିବାପରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ନିକଟସ୍ଥ ସିଏମ୍‌ଆର୍‌ଆଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

Share