କରୋନାରେ ଚାଲିଗଲେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶନିବାର ପରଲୋକ ଘଟିଛି। ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ନିକଟରେ ସେ କରୋନାରୁ ସୁସ୍ଥ ହୋଇଥିଲେ। ହେଲେ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା କାରଣରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ଶରୀରରେ ଅକ୍ସିଜେନ୍‌ ସ୍ତର ହ୍ରାସ ପାଇବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କୋଲକାତା କିମ୍ବା ଚେନ୍ନାଇ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଶନିବାର ରାତି ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସେ ବହୁ ସୁପରହିଟ୍‌ ଗୀତ ଦେଇ ଲୋକଙ୍କ ହୃଦୟକୁ ଛୁଇଁଥିଲେ। ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ସେ ଓଲିଉଡ୍‌ ଜଗତରେ ପ୍ରବେଶ କରିଥିଲେ। ‘ଆଇ ଲଭ୍‌ ୟୁ’, ‘ଚକୋଲେଟ’ ଆଦି ବିଭିନ୍ନ ଚଳଚ୍ଚିତ୍ରରେ ଗୀତଗାଇ ସ୍ବତନ୍ତ୍ର ପରିଚୟ ପାଇଥିଲେ ତପୁ। ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

Share