ବ୍ରାସିଲିଆ,୨୧ା୫: ବ୍ରାଜିଲର ଜଣାଶୁଣା ଜଣେ ସିଙ୍ଗରଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁର କାରଣ ହେଲା ତାଙ୍କ ରୋମାନ୍ସ। ୨୩ ବର୍ଷୀୟ ଏମ୍ସି କେବିନ ଦୁଇ ସପ୍ତାହ ପୂର୍ବରୁ ବିବାହ କରିଥିଲେ। ମାତ୍ର ସେ ତାଙ୍କ ନବବିବାହିତା ସ୍ତ୍ରୀଙ୍କୁ ଲୁଚି ଜଣେ ମଡେଲଙ୍କ ସହ ହୋଟେଲ ବାଲକୋନିରେ ରୋମାନ୍ସ କରୁଥିଲେ। ଏହି ସମୟରେ ସ୍ତ୍ରୀ ଚାଲିଆସିବାରୁ ସେ ହଡ଼ବଡ଼େଇ ଯାଇ ଲୁଚିବାକୁ ଚେଷ୍ଟା କରୁଥିଲେ। ମାତ୍ର ତାଙ୍କ ପାଦ ଖସିଗଲା। ଫଳରେ ସେ ୫ ମହଲା ତଳକୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି।
କେବି୍ନ ବ୍ରାଜିଲ ସହରର ରିୟୋ ଡିି ଜେନେରିୟୋର ଏକ ହୋଟେଲରେ ତାଙ୍କ ବନ୍ଧୁଙ୍କ ସହ ରହିଥିଲେ। ଏହି ହୋଟେଲରେ ୨୬ ବର୍ଷୀୟା ବିୟାନ୍କା ନାମକ ଜଣେ ମଡେଲଙ୍କ ସହ ସାକ୍ଷାତ ହୋଇଥିଲା। ପରିଚୟ ଆଦାନ ପ୍ରଦାନ ପରେ ମିଶିକି ମଦ ପିଇଥିଲେ। ଏହା ପରେ ତାଙ୍କ ବନ୍ଧୁ ବିୟାନ୍କାଙ୍କ ସହ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ। କେବିନ୍ ତାଙ୍କୁ ସଫା ସଫା କହିଥିଲେ ସେ ବିବାହିତ। ଏ କଥା ମଡେଲଙ୍କୁ କହିବ ନାହିଁ। ବିୟାନ୍କା କହିଲେ କେବିନ ତାଙ୍କ ସହ ସମ୍ପର୍କ ରଖିଲେ ତାଙ୍କୁ ୩୯୦ ଡଲାର ଦେବାକୁ ପଡ଼ିବ। ଏଥିରେ ରାଜି ହୋଇଥିଲେ କେବିନ୍। ଏପଟେ କେବିନଙ୍କ ସହ ହୋଟେଲକୁ ବି ଯାଇଥିଲେ ତାଙ୍କ ସ୍ତ୍ରୀ। ସ୍ବାମୀଙ୍କୁ ରୁମ୍ରେ ନ ପାଇ ସେ ଖୋଜିବାକୁ ଲାଗିଲେ। ସୁରକ୍ଷାକର୍ମୀଙ୍କୁ ଏ ବିଷୟରେ ପଚାରିଲେ। ସୁରକ୍ଷାକର୍ମୀ ଯାଇ କେବିନ୍ଙ୍କୁ କହିଥିଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଖୋଜୁଛନ୍ତି। ଏହା ଜାଣିପାରି କେବିନ ବାଲକୋନିରେ ଲୁଚିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ପାଦ ଖସିଗଲା। ଫଳରେ ସେ ୫ ମହଲାରୁ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।