ଦୀପାବଳିରେ ସିଂଘମ୍‌ଙ୍କ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ଭିନ୍ନ ଲୁକ୍‌ରେ ଆଗାମୀ ଫିଲ୍ମରେ ନଜର ଆସିବେ ବଲିଉଡ୍‌ ସିଂଘମ୍‌ ଅଜୟ ଦେବଗନ୍‌। ସିଦ୍ଧାର୍ଥ ମାଲ୍‌ହୋତ୍ରା, ରକୁଲ ପ୍ରୀତ୍‌ ଏବଂ ଅଜୟଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଥ୍ୟାଙ୍କ୍‌ ଗଡ୍‌’ର ରିଲିଜ୍‌କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମର ଟ୍ରେଲର ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ଅଜୟଙ୍କ ପ୍ରଥମ ଲୁକ୍‌ ସୋସିଆଲ ମିଡିଆରେ ଶେୟାର ହୋଇଛି। ଏଥିରେ ସେ ଶୁଟ୍‌ ବୁଟ୍‌ ସହିତ ଏକ ସିଂହାସନ ଉପରେ ବସିଥିବା ନଜର ଆସିଛନ୍ତି। ସିଦ୍ଧାର୍ଥ ଏବଂ ରକୁଲ ମଧ୍ୟ ସୋସିଆଲ ମିଡିଆରେ ପ୍ରଥମ ଲୁକ୍‌ ଶେୟାର କରିଛନ୍ତି। ସିନେମାରେ ଅଜୟଙ୍କୁ ‘ଚିତ୍ରଗୁପ୍ତ’ଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ନଜରକୁ ଆସିବେ। ଏଥିସହ ରକୁଲଙ୍କ ସହ ସିଦ୍ଧାର୍ଥଙ୍କ ରୋମାଣ୍ଟିକ କେମିଷ୍ଟ୍ରି ଦେଖିବାକୁ ମିଳିବ। ଦୀପାବଳିରେ ଅର୍ଥାତ୍‌ ଅକ୍ଟୋବର ୨୫ରେ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଅଜୟ ତାଙ୍କ ଟୁଇଟ୍‌ରେ ସୂଚନା ଦେଇଛନ୍ତି। ଏହି କମେଡି ଡ୍ରାମାଭିତ୍ତିକ ମୁଭିରେ ଇନ୍ଦ୍ର କୁମାର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମର କାହାଣୀକୁ ଆକାଶ କୌଶିକ ଏବଂ ମଧୁର ଶର୍ମା ଲେଖିଛନ୍ତି। ଏଥିସହ ବଲିଉଡ୍‌ ଡାନ୍ସର ନୋରା ଫତେହିଙ୍କ ଏକ ଆଇଟମ୍‌ ଡାନ୍ସ ମଧ୍ୟ ରହିଛି। ‘ଥ୍ୟାଙ୍କ୍‌ ଗଡ୍‌’ ହେଉଛି ରକୁଲ ଏବଂ ଅଜୟଙ୍କ ତୃତୀୟ ସିନେମା। ଏଥିପୂର୍ବରୁ ‘ରନ୍‌ୱେ-୩୪’ ଏବଂ ‘ଦେଦେ ପ୍ୟାର୍‌ ଦେ’ରେ ଉଭୟେ ଏକାଠି ନଜର ଆସିଥିଲେ। ଅଜୟ ଦେବଗନ୍‌ଙ୍କ ଅଭିନୀତ ‘ରନ୍‌ୱେ-୩୪’, ‘ଆର୍‌ଆର୍‌ଆର୍‌’, ‘ତାହ୍ନାଜି’, ‘ଗଙ୍ଗୁବାଈ କାଠିଆୱାଡି’, ‘ସୂର୍ଯ୍ୟବଂଶୀ’ ପ୍ରଭୃତି ଦମଦାର ମୁଭିକୁ ଦର୍ଶକେ ସ୍ବୀକୃତି ଦେଇଛନ୍ତି।

Share