Categories: ଜାତୀୟ

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର ପାଇଁ ପାଣି ଭିତରୁ ବାହାରିଥିଲା। ଟେକ୍ଟୋନିକ୍‌ ପ୍ଲେଟ୍‌ ଗତିବିଧି ଯୋଗୁ ଜଳମଗ୍ନ ପୃଥିବୀରୁ ମହାଦ୍ୱୀପଗୁଡ଼ିକ ମୁକ୍ତ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ତେବେ ସଦ୍ୟ ଅଧ୍ୟୟନର ନୂଆ ଆବିଷ୍କାର ଏହି ପୁରୁଣା ଥିଓରି ଓ ଦାବିକୁ ଚ୍ୟାଲେଞ୍ଜ କରିଛି। ଜଳପ୍ରଳୟ ଯୋଗୁ ଆମ ପୃଥିବୀ ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯାଇଥିବାବେଳେ ପ୍ରାୟ ୨୫୦ କୋଟି ବର୍ଷ ପୂର୍ବେ ସମୁଦ୍ରରୁ ପ୍ରଥମ ମହାଦ୍ୱୀପ ମୁକୁଳିଥିଲା ବୋଲି ଦାବି କରାଯାଉଥିଲା। କିନ୍ତୁ ନୂଆ ରିପୋର୍ଟ ପୂର୍ବ ଥିଓରି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୈଜ୍ଞାନିକମାନଙ୍କୁ ଭାରତରୁ ମିଳିଥିବା ଏକ ଶିଳା ନମୁନା ପ୍ରାୟ ୩୨୦କୋଟି ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡର ସିଂହଭୂମ ଜିଲାରୁ ଉକ୍ତ ପଥର ନମୁନା ମିଳିଥିବାରୁ ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି ବୋଲି ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ପିଏନ୍‌ଏସ୍‌ ଜର୍ନାଲରେ ପ୍ରକାଶିତ ଏହି ଅନୁସନ୍ଧାନ ରିପୋର୍ଟ ପୃଥିବୀକୁ ବୁଝିବାର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇଦେଇପାରେ ବୋଲି କୁହାଯାଉଛି।
ମୋନାଶ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ଡ. ପ୍ରିୟଦର୍ଶୀ ଚୌଧୁରୀ କହିଛନ୍ତି, ପୃଥିବୀର କେଉଁ ଭାଗ ପ୍ରଥମେ ସମୁଦ୍ରରୁ ବାହାରିଥିଲା ତାହା ଉପରେ ଅଧ୍ୟୟନ ଚାଲିଥିଲା। ସିଂହଭୂମ ଜିଲାରୁ ମିଳିଥିବା ବିଶେଷ ଧରଣର ବଲୁଆ ପଥରର ବୟସ ଜାଣିବାକୁ ପରୀକ୍ଷା କରାଯାଇଥିଲା। ୟୁରାନିୟମ ଏବଂ ଛୋଟ ଖଣିଜ ପଦାର୍ଥର ବିଶ୍ଳେଷଣ ପରେ ପଥରଗୁଡ଼ିକ ୩୨୦ କୋଟି ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡ଼ିଛି। ଏପରି ଶିଳା ବହୁ ପ୍ରାଚୀନ ନଦୀ ଉପକୂଳ ଏବଂ ଗଭୀର ସମୁଦ୍ରରେ ସୃଷ୍ଟି ହୋଇଥିଲା। ପୃଥିବୀର ବୟସ ପ୍ରାୟ ୪୫୪.୩ କୋଟି ବର୍ଷ। ପ୍ରାରମ୍ଭରେ ଏହା ବହୁତ ଗରମ ଥିଲା। ଲକ୍ଷ ଲକ୍ଷ ବର୍ଷ ପରେ ଥଣ୍ଡା ହୋଇଥିଲା ଏବଂ ଏଠାରେ ଜଳ ସୃଷ୍ଟି ହେଲା। ଧୂମକେତୁଗୁଡ଼ିକ ଯୋଗୁ ସମୁଦ୍ର ସୃଷ୍ଟି ହେଲା। ଭୌଗୋଳିକ ପରିବର୍ତ୍ତନ ଯୋଗୁ ପୃଥିବୀରେ ପ୍ରଥମେ ସିଂହଭୂମ ମହାଦ୍ୱୀପ ସୃଷ୍ଟି ହୋଇଥିଲା। କ୍ରମେ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଲା ଏବଂ ଫସ୍‌ଫରସ୍‌ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସମୁଦ୍ରରେ ସୃଷ୍ଟି ହେବାରେ ଲାଗିଥିଲା ବୋଲି ଏଥିରେ କୁହାଯାଇଛି। ତେଣୁ ସିଂହଭୂମ ୩୨୦ କୋଟି ବର୍ଷ ତଳେ ସମୁଦ୍ରରୁ ବାହାରି ଆସିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ପ୍ରାଚୀନତମ ଭୂମିର କିଛି ଭାଗ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଦେଖିବାକୁ ମିଳିଛି। ସଦ୍ୟ ଗବେଷଣା ପୃଥିବୀର ସର୍ବପୁରାତନ ମହାଦେଶ ଗଠନ ଏବଂ ଆମ ଜଳବାୟୁ, ବାୟୁମଣ୍ଡଳ, ମହାସାଗର ଗଠନ ଦିଗରେ ଅଧିକ ଅନୁସନ୍ଧାନ ସହାୟକ ହେବ।

ବହୁ ବର୍ଷ ଧରି ଆଗ୍ନେୟଗିରି ଉଦ୍‌ଗିରଣ

ଗବେଷକମାନେ ସିଂହଭୂମ ଅଞ୍ଚଳର ଭୂତଳ ସୃଷ୍ଟି କରିଥିବା ଗ୍ରାନାଇଟ୍‌ର ଅଧ୍ୟୟନ କରିଥିଲେ। ଏହି ଗ୍ରାନାଇଟ ପଥରଗୁଡ଼ିକ ୩୧୦ରୁ ୩୫୦ କୋଟି ବର୍ଷ ପୁରୁଣା। ଏହା ଆଗ୍ନେୟଗିରି ଉଦ୍‌ଗିରଣ ଦ୍ୱାରା ସୃଷ୍ଟି ହୋଇଥିଲା। ପୃଥିବୀ ଭିତରେ ବିସ୍ଫୋରଣ ହୋଇଥଲା ଏବଂ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତାହା ଜାରି ଥିଲା। ପରେ ପୃଥିବୀର ମାଗ୍‌ମା କଠିନ ହେବାରେ ଲାଗିଲା ଏବଂ ୪୫ କିଲୋମିଟର ଘନତାର ସ୍ଥଳଭାଗ ସୃଷ୍ଟି ହେବା ପରେ ତାହା ସମୁଦ୍ର ଭିତରୁ ଉପରକୁ ଉଠିଥିଲା ବୋଲି ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି।

Share