ଭକ୍ତିର ଭାବରେ ଭସାଇପାରୁଥିବା ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ବାଳକୃଷ୍ଣ ଦାଶ ହୁଅନ୍ତୁ କି ଭଜନ ସମ୍ରାଟ ଭିକାରୀ ବଳ। ଅବା ପ୍ରେମର ରସରେ ଭିଜାଇ ପାରୁଥିବା ଖୋକା ଭାଇ କି ବଲିଉଡ୍ ସିଙ୍ଗର୍ ସୋନୁ ନିଗମ୍। ଏମାନେ ସମସ୍ତେ ସଙ୍ଗୀତ ଦୁନିଆର ଜଣେ ଜଣେ ରତ୍ନ। କାଳଜୟୀ ଏମାନଙ୍କ ସ୍ବର। ଖାଲି ଆଜି ନୁହେଁ ସେମାନଙ୍କ କଣ୍ଠର ଯାଦୁ ମନ ମୋହୁଥିବ ସବୁ ସମୟରେ, ସବୁ ପିଢ଼ିଙ୍କୁ । ସେଥିପାଇଁ ତ କିଛି ସଙ୍ଗୀତପ୍ରିୟ ମଣିଷ ଏହି ମହାନ୍ କଳାକାରଙ୍କୁ ମନ ମନ୍ଦିରରେ ପୂଜୁଛନ୍ତି। ତାଙ୍କ ଗୀତକୁ ଅନୁସରଣ କରୁଛନ୍ତି। ଆଉ ତାଙ୍କରି ଭଳି ଗୀତ ଗାଇ ଜିଣୁଛନ୍ତି ଅନେକଙ୍କ ହୃଦୟ…
ମନେ ମନେ ବାଣୀକଣ୍ଠଙ୍କୁ ଗୁରୁ ମାନି ନେଇଥିଲି- ଦୁଃଖୀଶ୍ୟାମ ତ୍ରିପାଠୀ
ବାଣୀକଣ୍ଠ ଉପାଧିରେ ଭୂଷିତ ନିମାଇଁ ଚରଣ ହରିଚନ୍ଦନଙ୍କ ଗୀତରେ ଭରି ରହୁଥିଲା ଭକ୍ତିର ଭାବ। ସେ ଲୋକଙ୍କୁ ଭକ୍ତିର ସାଗରରେ ଭସାଇ ପାରୁଥିଲେ। ତାଙ୍କ ଗୀତର ଯାଦୁ ମତେ ବି ବିମୋହିତ କରିଥିଲା। ବଲାଙ୍ଗୀର ଜିଲାର ଛୋଟ ଗାଁ ଫଟାମୁଣ୍ଡାରେ ମୋ ଘର। ଜେଜେବାପା ଗାଁର ଗୌନ୍ତିଆ(ଜମିଦାର) ଥିଲେ। ତା’ସହ ସଙ୍ଗୀତ ପ୍ରେମୀ ବି। ତେଣୁ ଘରେ ଗ୍ରାମୋଫୋନ୍ ଥିଲା। ସେଥିରେ ନିମାଇଁ ଚରଣ ହରିଚନ୍ଦନଙ୍କ ରେକର୍ଡ ବାଜୁଥିଲା। କିଛି ବୁଝିବା ଶୁଝିବା ଶକ୍ତି ନ ଥିବା ସମୟରୁ ତାଙ୍କ ଗୀତ ଶୁଣି ତାଙ୍କ ସ୍ବର ପ୍ରତି ଭଲ ପାଇବା ଆସି ଯାଇଥିଲା। କୁହାଯାଏ ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ପଙ୍ଗୁ ଗିରି ଲଙ୍ଘିପାରେ ଓ ମୂକ ଅନର୍ଗଳ କଥା କହିପାରେ। ମୁଁ ବି ନିଜକୁ ସେଇଆ ମନେ କରେ। କାରଣ ଗୀତ ନ ଶିଖି ମଧ୍ୟ ବେଶ୍ ଛୋଟବେଳୁ ମୁଁ ବାଣୀକଣ୍ଠଙ୍କ ଗୀତ ଅନର୍ଗଳ ଗାଇପାରୁଥିଲି। ଏମିତିକି ରେଡିଓ, ଟେଲିଭିଜନ, ଷ୍ଟୁଡିଓରେ ବି ଗାଇବାର ସୁଯୋଗ ପାଇଥିଲି। ଏଣେ ଯେତେ ଯେତେ ଆଗେଇ ଚାଲିଥାଏ ଗୁରୁ ବୋଲି ମାନି ନେଇଥିବା ନିମାଇଁ ହରିଚନ୍ଦନଙ୍କ ସହ ଦେଖା କରିବାର ଇଚ୍ଛା ବି ବଢ଼ି ଚାଲିଥାଏ। ୧୯୮୩ ମସିହା ମେ ମାସର କଥା। ଭୁବନେଶ୍ୱରରୁ ପୁରୀ ଯିବା ବସ୍ରେ ପୁରୀ ନିବାସୀ ବନମାଳୀ ପୃଷ୍ଟିଙ୍କ ସହ ମୋର ଦେଖାହେଲା। ଜାଣିବାକୁ ପାଇଲି ତାଙ୍କର ପୁରୀରେ ଶ୍ରୀକ୍ଷେତ୍ର କଳା ପ୍ରତିଷ୍ଠାନ ନାମରେ ଅନୁଷ୍ଠାନ ଅଛି। ଆଉ ସେ ଓଡ଼ିଶାର ବରିଷ୍ଠ କଳାକାରଙ୍କୁ ନେଇ କାର୍ଯ୍ୟକ୍ରମ କରନ୍ତି। ତେଣୁ ମୁଁ ତାଙ୍କୁ ନିମାଇଁ ହରିଚନ୍ଦନଙ୍କ ବିଷୟରେ ପଚାରିଲି। ବନମାଳୀ ବାବୁ କହିଲେ, ସେ ପୁରୀରେ ରହୁଛନ୍ତି। ସେଦିନ ରାତିରେ ମୁଁ ଏକ ହୋଟେଲରେ ରହିଲି। ସକାଳେ ବନମାଳୀ ବାବୁ ଆସି ଆମକୁ ପୁରୀ ମନ୍ଦିରକୁ ନେଲେ। ସେ ବହୁ ପରିଚିତ ଥିବାରୁ ବିନା ଦ୍ୱିଧାରେ ଆମେ ରତ୍ନ ସିଂହାସନ ପାଖରେ ପହଞ୍ଚତ୍ୟାଇଥିଲୁ। ସେଠି ମୋ ନଜର ଜଣେ ବୟସ୍କ ଲୋକଙ୍କ ଉପରେ ପଡିଲା। ଗୋରା ତକତକ ଚେହେରା, ରାମାନନ୍ଦୀ ଚିତା, କଣ୍ଠରେ ତୁଳସୀ ମାଳ ସାଙ୍ଗକୁ ଧଳା ଧୋତି ପିନ୍ଧିଥାଆନ୍ତି। କାହିଁକି କେଜାଣି ମୋ ମନ କହିଲା ତାଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ। ଆଉ ମୁଁ ତାଙ୍କ ନିକଟକୁ ଯାଇ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କଲି। ସେ କହିଲେ, ବଡ଼ ଠାକୁରଙ୍କ ପାଖରେ ଏମିତି କରନ୍ତିନି। ଏପଟେ ବନମାଳୀ ବାବୁ କହିଲେ, ଆପଣ କ’ଣ ତାଙ୍କୁ ଚିହ୍ନିଛନ୍ତି। ମୁଁ କହିଲି ନା। ସେ କହିଲେ ଇଏ ପରା ହେଉଛନ୍ତି- ନିମାଇଁ ଚରଣ ହରିଚନ୍ଦନ, ଯାହାଙ୍କୁ ତୁମେ ମନେ ମନେ ଗୁରୁ ଭାବିଛ। ମୁଁ କେବେ ଭାବି ନ ଥିଲି ଏଭଳିଭାବେ କେବେ ତାଙ୍କ ସହ ଦେଖାହେବ ବୋଲି। ସେତେବେଳେ ନିମାଇଁ ହରିଚନ୍ଦନଙ୍କୁ ବୟସ ପ୍ରାୟ ୮୩ ବର୍ଷ। କାନକୁ ଭଲରେ ଶୁଭୁ ନ ଥାଏ। ବନମାଳୀ ବାବୁ ଟିକେ ଜୋର୍ ପାଟିରେ କହିଲେ, ଇଏ ହେଉଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ। ଆପଣଙ୍କୁ ସେ ମନେ ମନେ ଗୁରୁ କରିଛନ୍ତି। ନିମାଇଁ ହରିଚନ୍ଦନ କହିଲେ, ଚାଲ ଜଗମୋହନରେ ଭଜନ କରିବା। ସେଠି ପହଞ୍ଚତ୍ବା ପରେ ସେ ମତେ କହିଲେ ଗାଅ। ଆଉ ମୁଁ ତାଙ୍କର ଗୋଟେ ପରେ ଗୋଟେ ଗୀତ ଗାଇ ଚାଲିଲି। ଗୀତ ଶୁଣି ପଣ୍ଡା ସେବାୟତମାନେ ଆସି କିଏ ଫୁଲମାଳ ଦେଲେ ତ କିଏ ଚନ୍ଦନ ଲେପିଦେଲେ। ସମସ୍ତେ ଖୁସିରେ କହିଲେ ସତରେ ଆପଣଙ୍କ କଣ୍ଠ ନିମାଇଁ ହରିଚନ୍ଦନଙ୍କ ପରି। ନିମାଇଁ ହରିଚନ୍ଦନ ଗାମୁଛାରେ ତୁଳସୀ ଆଣିଥିଲେ। ସେଥିରୁ ଟିକେ ମତେ ଦେଲେ। ବନମାଳୀ ବାବୁ ପୁଣି କହିଲେ, ଦୁଃଖୀଶ୍ୟାମଙ୍କୁ ଟିକେ ଆଶୀର୍ବାଦ ଦିଅନ୍ତୁ। ସେ ମହାପ୍ରଭୁଙ୍କ ଆଡକୁ ଦେଖେଇ କହିଲେ, ‘ତାକୁ ଟିକେ କହ ସେ ଚାହିଁଲେ ସବୁ ହେବ।’ ତା’ପରେ ଗରୁଡ଼ ସ୍ତମ୍ଭ ପାଖକୁ ଆସି କହିଲେ, ଯେବେବି ଶ୍ରୀମନ୍ଦିର ଆସିବ ଏଇଠି ଛିଡା ହେଇ ଗୀତ ଗାଇବ। ଦେଖିବ ନିଶ୍ଚୟ ବିଖ୍ୟାତ ହୋଇଯିବ। ଏହି ଦେଖାସାକ୍ଷାତ ପରେ ମୁଁ ହୋଟେଲ ଚାଲିଆସିଲି। ସନ୍ଧ୍ୟାରେ ବନମାଳୀ ବାବୁଙ୍କ ଅନୁଷ୍ଠାନରେ ପୁଣି ଥରେ ତାଙ୍କ ସହ ଦେଖାହୁଏ। ହାରମୋନିୟମ ଧରି ସେ କହିଲେ, ‘ଆଉ କ’ଣ ଗାଇ ହଉଛି।’ ମୁଁ ମନେ ମନେ ଭାବିଲି ଆଉ କିଛି ବର୍ଷ ପୂର୍ବରୁ ହେଲେ ଭେଟ ହୋଇଥାଆନ୍ତା। ତାଙ୍କ କଣ୍ଠରୁ କିଛି ଗୀତ ଶୁଣିବା ସହ ଅନେକ କିଛି ଶିଖିଥାଆନ୍ତି। ତଥାପି ସେ ଗୋଟେ ଗୀତ ଗାଇଲେ। ମତେ କହିଲେ ଆପଣ ଗୋଟେ ଗାଆନ୍ତୁ। ମୁଁ ଖାତା ବାହାର କଲି। ସେ କହିଲେ ଖାତା ଦେଖି ଗାଇଲେ ଭାବ କେମିତି ଆସିବ। ମନ ଭିତରେ ଚକା ଆଖିକୁ କେମିତି ଦେଖିବ? ସେବେଠୁ ମୁଁ ଖାତା ଛାଡି ଗୀତ ଗାଇବାକୁ ଚେଷ୍ଟା କଲି, ଯାହାଫଳରେ ଆଜି ଶହ ଶହ ଗୀତ ମୋର ମୁଖସ୍ଥ ହୋଇପାରିଛି। କୁହାଯାଏ ଗୁରୁଙ୍କ ଆଶୀର୍ବାଦ ନ ଥିଲେ ଆଗକୁ ବଢ଼ିବା ଅସମ୍ଭବ। ଏ କଥା ସତ ବୋଲି ମୁଁ ଅନୁଭବ କରିଛି। କାରଣ ତାଙ୍କ ସହ ସାକ୍ଷାତ ଓ ଆଶୀର୍ବାଦ ପାଇବା ପରେ ହିଁ ମତେ ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିଲା। ଆଗରୁ ଗୀତ ଗାଉଥିଲେ ବି ଲୋକ ସେତେଟା ଜାଣି ନ ଥିଲେ। ତାଙ୍କ ଆଶୀର୍ବାଦ ପାଇବା ପରେ ଘରେ ଘରେ ମତେ ଚିହ୍ନିବାକୁ ଲାଗିଲେ। ଆଉ ଏକ କଥା ମୁଁ ତାଙ୍କୁ ସବୁବେଳେ ଅନୁସରଣ କରିଛି। ଅନୁକରଣ କରିନି କି କରିପାରିବି ନାହିଁ। ନିମାଇଁ ହରିଚନ୍ଦନଙ୍କ ପରିବାର ଲୋକ ବି ମତେ ବହୁତ ସ୍ନେହ କରନ୍ତି। ଗୀତ ମୋ ପାଇଁ ଜୀବନ, ତେଣୁ ଏହାପାଇଁ ଚାକିରି ବି ଛାଡିଦେଇଥିଲି। ଆରମ୍ଭରୁ ଗୀତ ଶିଖି ନ ଥିଲେ ବି ପ୍ରଫୁଲ୍ଲ କର ମତେ ବହୁତ କଥା ଶିଖେଇଛନ୍ତି। ଜେଇ, ସାର୍ଥକ, ସିଦ୍ଧାର୍ଥ ଆଦି କମ୍ପାନୀ ନିମାଇଁ ଚରଣଙ୍କ ଗୀତକୁ ମୋ କଣ୍ଠରେ ରେକର୍ଡିଂ କରେଇ ମତେ ଘରେ ଘରେ ପରିଚିତ କରାଇଛନ୍ତି। ତେବେ ଦିନକର କଥା, ପ୍ରଫୁଲ୍ଲ କର କହିଲେ ଦୁଃଖୀଶ୍ୟାମ ତମେ ନିମାଇଁ ଚରଣଙ୍କ ସ୍ବରରେ ବହୁତ ଗାଇଲ। ଏବେ ନିଜ ସ୍ବର ଓ ନିଜ ଶୈଳୀରେ ବି କିଛି ଗାଅ। ସେ ମୋ ପାଇଁ ୮ଟି ଗୀତ ରଚନା କଲେ। ଆଉ ସେସବୁ ଗୀତକୁ ମୁଁ ମୋ ନିଜ ସ୍ବର ଓ ନିଜ ଶୈଳୀରେ ଗାଇଲି, ଯାହାକି ଲୋକଙ୍କୁ ପସନ୍ଦ ଆସିଲା।
ଯାହାଙ୍କ କଣ୍ଠରେ ଗାଇ ମୁଁ ପ୍ରସିଦ୍ଧ ହୋଇଛି ତାଙ୍କୁ ଦୀର୍ଘଦିନ ଯାଏ ଜାଣି ନ ଥିଲି: ଘନଶ୍ୟାମ ପଣ୍ଡା
ମୋ ଘର କେନ୍ଦୁଝରରେ। ହାଇସ୍କୁଲରେ ପଢ଼ିବାବେଳେ ଗାଁ ଡ୍ରାମାରେ ମତେ ଗୀତ ଗାଇବାକୁ ଦିଅନ୍ତି। ଗୀତ ଶୁଣି ଲୋକ ବହୁତ ପ୍ରଶଂସା ବି କରୁଥିଲେ। ତେଣୁ ବିଧିବଦ୍ଧ ଶିକ୍ଷା ନେବା ପାଇଁ ଆଗ୍ରହ ବଢ଼ିଲା। ଆଉ କେନ୍ଦୁଝରର ପ୍ରେମଲତିକା କଳାଭବନରେ ସଙ୍ଗିତ ଶିକ୍ଷା ଆରମ୍ଭ କଲି। ୧୯୬୪ ମସିହାର କଥା। ମତେ ପ୍ରାୟ ୧୮ ବର୍ଷ ବୟସ ହେବ। କେନ୍ଦୁଝର ରାଜା ବଳଭଦ୍ର ନାରାୟଣ ଦେବଙ୍କ ଦେହାନ୍ତ ହୋଇଥାଏ। ସେହି ଶାସନରେ ଆମେ ଥିବାରୁ ଏକାଦଶାହ ଭୋଜିକୁ ଯାଇଥାଏ। ସେଠି ମୋର ସଙ୍ଗୀତ ଗୁରୁ ଯୋଗେନ୍ଦ୍ରନାଥ ପତିଙ୍କ ସହ ଭେଟ ହେଲା। ସେ କହିଲେ କୁଆଡ଼େ ଆସିଛୁ? ମୁଁ କହିଲି ଭୋଜି ଖାଇବାକୁ ଆସିଛି। ସେ ମତେ ଡାକି ନେଲେ ଓ ସେଠାରେ ଉପସ୍ଥିତ ବିଭିନ୍ନ ରାଜ୍ୟର ରାଜାଙ୍କୁ କହିଲେ, ପିଲାଟି ଭଲ ଗାଏ ତା’ ଗୀତ ଟିକେ ଶୁଣନ୍ତୁ। ସେତେବେଳକୁ ପ୍ରାୟ ୩ ବର୍ଷ ହେବ ସଙ୍ଗୀତ ଶିକ୍ଷା କରି ସାରିଥାଏ। ସେଠି ମୁଁ ଓଡ଼ିଶୀ ଗୀତଟିଏ ଗାଇଲି। ରାଜାମାନେ ଗୀତ ଶୁଣି ବହୁତ ଖୁସି ହେଲେ। ଆଉ କହିଲେ, ସେ ବ୍ରାହ୍ମଣ ଭୋଜନରେ କାହିଁକି ବସି ଖାଇବେ? ସେ କଳାକାର, ଆମ ସହ ବସି ଖାଇବେ। ଏତେ ସମ୍ମାନ ପାଇ ବହୁତ ଖୁସି ଲାଗିଥିଲା। ଏହାପରେ ସେତେବେଳେ ଏଗ୍ରିକଲ୍ଚର ମିନିଷ୍ଟର ଥିବା ମୋ ମାମୁ ଶ୍ୱଶୁର ରାଜବଲ୍ଲଭ ମିଶ୍ର ମତେ ଭୁବନେଶ୍ୱର ଆଣି ସଙ୍ଗୀତ ମହାବିଦ୍ୟାଳୟରେ ଆଡମିଶନ୍ କରେଇଲେ। ଏଠି ରହିବାର ୬ମାସ ପରେ ବି ମୁଁ ବାଳକୃଷ୍ଣ ଦାଶ କିଏ ବୋଲି ଜାଣି ନ ଥିଲି। ହେଲେ ଜଣେ ସାଙ୍ଗଠାରୁ ବାଳକୃଷ୍ଣ ଦାଶଙ୍କର ଗୀତ ଶୁଣି ତାକୁ କହିଥିଲି ବହୁତ ବଢ଼ିଆ ଲାଗୁଛି ଏଇ ଗୀତ। ମତେ ଟିକେ ଶିଖେଇ ଦେ। ସେ ମତେ ବାଳକୃଷ୍ଣ ଦାଶଙ୍କର ୨ଟି ଗୀତ ଶିଖେଇଥିଲା। ସେହି ସମୟରେ ମଧୁସୂଦନ ନଗରରେ ଥିବା ପିଡବ୍ଲ୍ୟୁଡି ଅଫିସ୍ରେ ବିଶ୍ୱକର୍ମା ପୂଜା ହେଉଥାଏ। ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରି ଆମ କଲେଜର ପିଲାଙ୍କୁ ଡାକିଥିଲେ ଗାଇବାକୁ। ସେଠି ମୁଁ ସାଙ୍ଗଠୁ ଶିଖିଥିବା ଦୁଇଟି ଯାକ ଗୀତ ଗାଇଲି। ମୋ ଗୀତ ଶୁଣି ହଷ୍ଟେଲର ଯେଉଁ ପିଲା ଆସି ନ ଥିଲେ ଚାଲି ଆସିଲେ ପ୍ରୋଗ୍ରାମକୁ। କାରଣ ମୋ ଗୀତ ଶୁଣି ସେମାନେ ଭାବିଥିଲେ ବାଳକୃଷ୍ଣ ଦାଶ ଆସିଛନ୍ତି ବୋଲି। ଆଉ ସେଠାରେ ପହଞ୍ଚତ୍ ଦେଖିଲେ ମୁଁ ଗାଉଛି। ସେମାନେ କହିଲେ, ତୁ ତ ପୂରା ବାଳକୃଷ୍ଣ ଦାଶଙ୍କ ପରି ଗାଉଛୁ। ଏଇ ପ୍ରଶଂସା ଶୁଣି ବାଳକୃଷ୍ଣ ଦାଶଙ୍କ ସହ ଦେଖା କରିବାର ଇଚ୍ଛା ଜାଗ୍ରତ ହେଲା। ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ଯିଏ କି ସେତେବେଳେ ମତେ ବଡ଼ଭାଇ ଭଳି ମାନୁଥିଲେ ତାଙ୍କୁ କହିଲି, ମତେ ଟିକେ ତାଙ୍କ ପାଖକୁ ନେଇଯାଅ। ଆମେ ବସ୍ରେ ଗଲୁ। ଗଙ୍ଗାଧରଙ୍କୁ ଆଗରୁ ସାର୍ ଚିହ୍ନିଥାନ୍ତି। ସେ ତାଙ୍କୁ ପଚାରିଲେ ଏଇ କିଏ? ଗଙ୍ଗାଧର କହିଲେ, ଇଏ ଘନଶ୍ୟାମ ପଣ୍ଡା। ସେ ଆପଣଙ୍କୁ ଦେଖିବାକୁ ଚାହୁଁଥିଲେ। ଆଉ ଗୀତ ବି ଶିଖିବାକୁ ଚାହୁଁଛନ୍ତି। ସାର୍ ମତେ କହିଲେ, ଗୀତଟେ ଗାଅ। ମୁଁ ଗାଇଲି। ତାଙ୍କୁ ବହୁତ ଭଲ ଲାଗିଲା। ସେବେଠାରୁ ତାଙ୍କ ସହ ମୋର ସମ୍ପର୍କ ଗଢ଼ି ଉଠିଲା। ମଝିରେ ମଝିରେ ତାଙ୍କ ପାଖକୁ ଯାଉଥିଲି ଶିଖିବାକୁ। ପରେ ଆମ କଲେଜରେ ବି ଆସି ସେ ଜଏନ୍ କଲେ। ତେଣୁ ସମ୍ପର୍କ ଅତି ନିବିଡ଼ ହୋଇଗଲା। କୋର୍ସ ସରିବା ପରେ ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ହିଁ ଓଡ଼ିଶୀ ବିଭାଗରେ ଚାକିରି କଲି। ୧୯୭୪ରେ ନୟାପଲ୍ଲୀରେ ଘର କରି ରହିଲି। ତା’ସହ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଉଥାଏ। ଲୋକେ ମୋ କଣ୍ଠରେ ବାଳକୃଷ୍ଣ ଦାଶଙ୍କ ଗୀତ ଶୁଣିବାକୁ ବେଶି ଚାହୁଁଥିଲେ। ତେଣୁ ଅଧିକରୁ ଅଧିକ ବାଳକୃଷ୍ଣ ଦାଶଙ୍କ ଗୀତ ଗାଇଲି। ଆଉ ମୋର ଭିନ୍ନ ଏକ ପରିଚୟ ଗଢ଼ି ଉଠିଲା। ମୁଁ ଯେ କେବଳ ବାଳକୃଷ୍ଣ ଦାଶଙ୍କ ଭଳି ଗାଉଥିଲି ତାହା ନୁହେଁ, ତାଙ୍କ ସହ ମିଶି ଗାଇବାର ସୁଯୋଗ ବି ପାଇଛି। କଟକ ଆକାଶବାଣୀ କେନ୍ଦ୍ର ଉନ୍ମୋଚନ ଦିନ ମଧ୍ୟ ଆମେ ଦୁହେଁ ମିଶି ଗୀତ ଗାଇଥିଲୁ। କେବଳ ସେତିକି ନୁହେଁ ମୋର ସୌଭାଗ୍ୟ ଯେ, ଯୋଗେନ୍ଦ୍ରନାଥ ପତି, ସିଂହାରୀ ଶ୍ୟାମସୁନ୍ଦର କର, ମାର୍କେଣ୍ଡେୟ ମହାପାତ୍ର, ନୃସିଂହନାଥ ଖୁଣ୍ଟିଆ ଓ ଗୋପାଳଚନ୍ଦ୍ର ପଣ୍ଡାଙ୍କ ଭଳି ବହୁ ବଡ଼ ବଡ଼ ଗୁରୁଙ୍କଠାରୁ ସଙ୍ଗୀତ ଶିଖିବାର ସୁଯୋଗ ପାଇଥିଲି। ଜୀବନରେ ଯାହା ବି ସଫଳତା ମିଳିଛି ସେମାନଙ୍କ ଆଶୀର୍ବାଦ ପାଇଁ ହିଁ ସମ୍ଭବ ହୋଇଛି। ଏହା ମଧ୍ୟରେ ମତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ସୃଜନ ସମ୍ମାନ, ରାଜୀବ ଗାନ୍ଧୀ ସମ୍ମାନ, ମାହାରୀ ସମ୍ମାନ, ସିଂହାରୀ ଶ୍ୟାମସୁନ୍ଦର କର ସମ୍ମାନ, ଗୁରୁ ଗୋପାଳ ପଣ୍ଡା ସମ୍ମାନ ଭଳି ଅନେକ ସମ୍ମାନ ମିଳିଛି। ଏବେ ମତେ ୭୬ ବର୍ଷ ବୟସ ହେଲାଣି। ଆଉ ସେତେ ଗାଇ ହେଉ ନାହିଁ। ହେଲେ ପୁରୁଣା ସ୍ମୃତି ମନେପଡ଼ିଲେ ଭାରି ଖୁସି ଲାଗେ।
ଅକ୍ଷୟ ମହାନ୍ତିଙ୍କ ପାଇଁ ବୋଧହୁଏ ଲୋକ ମତେ ଭଲ ପାଆନ୍ତି-ଭାସ୍କର ପୁହାଣ
୬୦ ଦଶକରେ ଗାଁ ଗହଳିରେ ଏତେ ରେଡିଓ ନ ଥିଲା। କାଁ ଭାଁ କାହା ଘରେ ଗ୍ରାମଫୋନ୍ ଥିଲା। ଆମ ଘର ଭଦ୍ରକରେ। ସେତେବେଳେ ମୁଁ ହାଇସ୍କୁଲର ଛାତ୍ର ଥାଏ। ଦୂରରୁ ଗ୍ରାମଫୋନ୍ରୁ ଅକ୍ଷୟ ମହାନ୍ତିଙ୍କ ଗୀତ ଯେବେ ଭାସି ଆସୁଥିଲା ଭାରି ଭଲ ଲାଗୁଥିଲା। ଆଉ ସେଇ ଗୀତ ମୁଁ ଦିନ ତମାମ ଗୁଣୁ ଗୁଣୁ ହେଉଥିଲି। କଲେଜରେ ପଢ଼ିବାବେଳେ କଲେଜରେ ତାଙ୍କ ଗୀତ ଗାଇଲି। ଅନେକେ କହିଲେ ମୁଁ କୁଆଡେ ଅକ୍ଷୟ ମହାନ୍ତିଙ୍କ ଭଳି ଗାଉଛି। ସେଇ ପ୍ରଶଂସା ମତେ ଅଧିକରୁ ଅଧିକ ଅକ୍ଷୟ ମହାନ୍ତିଙ୍କ ଗୀତକୁ ଅନୁସରଣ କରିବାକୁ ପ୍ରେରଣା ଦେଲା। ଆଉ ମୋ ଭିତରେ ତାଙ୍କ ଗୀତର ଝୁଙ୍କ ଏତେ ବଢ଼ିଗଲା ଯେ, ବାପା କହିଲେ ଏମିତି ହେଲେ ମୋ ଭବିଷ୍ୟତ ନଷ୍ଟ ହୋଇଯିବ। ତେଣୁ ମତେ ରାଉରକେଲାରେ ରହୁଥିବା ବଡ଼ ଭାଇଙ୍କ ପାଖକୁ ପଠେଇ ଦେଇଥିଲେ। ହେଲେ ସେ ନିଶା ଭଲା କୋଉ ଛାଡିଥାନ୍ତା। ସେଠି ବି ଗୀତ ଗାଇବା ଆରମ୍ଭ ହେଇଗଲା। ବିଭିନ୍ନ ଷ୍ଟେଜ୍ ଶୋ’ରେ ଗାଇଲି। ଏହା ଭିତରେ ତହସିଲ ଅଫିସ୍ରେ ଚାକିରି କଲି। ୧୯୭୧ମସିହାରେ ଥରେ ଏକ କାର୍ଯ୍ୟକ୍ରମରେ ମତେ ଗାଇବାକୁ ଡକାଯାଇଥାଏ। ସେଠି ଅକ୍ଷୟ ମହାନ୍ତି ବି ଗାଇବାକୁ ଆସିଥାଆନ୍ତି। କାର୍ଯ୍ୟକ୍ରମ ଆରମ୍ଭ ବିଳମ୍ବ ହେବାରୁ ମତେ ଗାଇବାକୁ ସୁଯୋଗ ମିଳିବନି ବୋଲି ଥିଲା। ହେଲେ ଲୋକ ଚାହୁଁଥିଲେ ମୁଁ ବି ଗାଏ ବୋଲି। ଏହା ଜାଣି ଅକ୍ଷୟ ମହାନ୍ତି ମତେ ଡାକି କହିଲେ ତୁ ମୋ ଭଳି ଗାଉଛୁ। ଭଲ କଥା। ଲୋକ ତତେ ଶୁଣିବାକୁ ଚାହୁଁଛନ୍ତି। ତେଣୁ ମୁଁ ଗାଇବା ପରେ ତୁ ନିଶ୍ଚୟ ଗାଇବୁ। ହେଲେ ସେଦିନ ତାଙ୍କ ଗୀତ ଶୁଣି ମୁଁ ଏତେ ବିଭୋର ହେଇଯାଇଥିଲି ଯେ, ଆଉ ଗାଇ ନ ଥିଲି। ଏହାପରେ ତାଙ୍କ ସହ ମୋର ଏକ ଭିନ୍ନ ସମ୍ପର୍କ ଗଢ଼ି ଉଠିଥିଲା। ସେ ଯେବେ ବି ରାଉରକେଲା ଆସନ୍ତି ଯେମିତି ହେଲେ ମୋ ସହ ଦେଖା କରନ୍ତି। ଆଉ ମୁଁ କଟକ ଗଲେ ବସ୍ଷ୍ଟାଣ୍ଡରୁ ଓହ୍ଲାଇବା ମାତ୍ରେ ରିକ୍ସାରେ ସିଧା ମାନସିଂହପାଟଣାରେ ଥିବା ତାଙ୍କ ଘରକୁ ଯାଉଥିଲି। ବହୁତ ଗପସପ ହେଉଥିଲୁ। ୧୯୯୮-୯୯ ମସିହାର କଥା, କଟକର ଏକ ଷ୍ଟୁଡିଓରେ ଅକ୍ଷୟ ମହାନ୍ତିଙ୍କର କିଛି ଗୀତକୁ ନେଇ କ୍ୟାସେଟ୍ ହେଉଥାଏ, ଯେଉଁଥିରେ ମୁଁ କଣ୍ଠଦାନ କରୁଥିଲି। ରେକର୍ଡିଂ ସରିବା ପରେ ବାହାରୁଥାଏ। ଜାଣିବାକୁ ପାଇଲି ଅକ୍ଷୟ ମହାନ୍ତିଙ୍କର ରାଉରକେଲାରେ ପ୍ରୋଗ୍ରାମ ଅଛି। ତେଣୁ ଆମେ ଦୁହେଁ ଏକାଠି ମିଶି ସେହି ଟ୍ରେନ୍ରେ ଆସିଲୁ। ସେ ମତେ ପଚାରିଲେ କୁଆଡେ ଆସିଥିଲ? ମୁଁ କହିଲି, ଆପଣ ଶୁଣିଲେ ରାଗିବେ। ମୁଁ ଆପଣଙ୍କ ଗୀତ ଗାଇବାକୁ ଆସିଥିଲି। ସେ କହିଲେ, ‘ରାଗିବି କାହିଁକି? ଗାଉଛୁ ଗା। ହେଲେ ନିଜ ସ୍ବରରେ ଗାଇ ମଧ୍ୟ ନିଜର ପରିଚୟ ଗଢ। ମୋର ମନେଅଛି ୧୯୭୦-୭୧ ମସିହାରେ ଥରେ ସେ ମତେ କହିଥିଲେ କଟକ ଚାଲିଆସ ବୋଲି। ମୁଁ କହିଥିଲି, ଏଠି ଆସିଲେ ରହିବି କୋଉଠି, ଖାଇବି କ’ଣ? ସେ କହିଥିଲେ ମୁଁ ତତେ ୬ ମାସ ରଖି ଖାଇବାକୁ ଦେବି। ଆଉ ତା’ର ପର ୬ ମାସ ତୁ ମତେ ଖାଇବାକୁ ଦେବୁ। ତାଙ୍କ କହିବାର ଅର୍ଥ ଥିଲା ଏଠି ଆସିଲେ ନାଁ କମେଇବା ସହ ବହୁତ ରୋଜଗାର ବି କରିପାରିବି। ହେଲେ ଚାକିରିର ବ୍ୟସ୍ତତା ଯୋଗୁ ମୁଁ ଯାଇ ପାରି ନ ଥିଲି। ଏଣେ ଛୁଟି କମ୍ ମିଳୁଥିବାରୁ ବହୁତ କମ୍ କାର୍ଯ୍ୟକ୍ରମରେ ଗାଉଥିଲି। ତେବେ ପ୍ରଶାନ୍ତ ମୁଦୁଲି ନାମରେ ମୋର ଜଣେ ଛାତ୍ର ଥିଲେ। ଯେକି ପ୍ରଥମେ ମୋ ରଚିତ ଗୀତକୁ ଗାଉଥିଲେ। ତାଙ୍କ ସ୍ବର ବି ଅକ୍ଷୟ ମହାନ୍ତିଙ୍କ ପରି ଥିଲା। ତେଣୁ ମୁଁ ତାଙ୍କୁ ଅକ୍ଷୟ ମହାନ୍ତିଙ୍କ କଣ୍ଠକୁ ଅନୁସରଣ କରିବାକୁ କହିଥିଲି। ଆଉ ସେ ଖୁବ୍ କମ୍ ସମୟରେ ଏତେ ଭଲ ଗାଇଲେ ଯେ, ସାରା ଓଡ଼ିଶାରେ ପରିଚିତ ମୁହଁ ହୋଇଯାଇଥିଲେ। ହେଲେ ଭାଗ୍ୟର ବିଡମ୍ବନା କମ୍ ବୟସରେ ତାଙ୍କର ଦେହାନ୍ତ ହୋଇଗଲା। ଯାହାକି ମତେ ବହୁତ କଷ୍ଟ ଲାଗିଥିଲା। ଏବେ ମତେ ୭୧ ବର୍ଷ ବୟସ ହେଲାଣି ତଥାପି ଗାଇବା ଜାରି ରଖିଛି। ଅକ୍ଷୟ ମହାନ୍ତିଙ୍କର ଆଉ ଏକ କଥା ମୋର ସବୁବେଳେ ମନେପଡେ, ୧୯୮୧-୮୨ ମସିହାରେ ଆମେ ଥରେ ରିକ୍ସାରେ ବୁଲୁଥାଉ। ସେ କହିଲେ, ମୁଁ ବଞ୍ଚତ୍ଛି ବୋଲି କେହି ମୋତେ ଚିହ୍ନିପାରୁ ନାହାନ୍ତି। ଦେଖିବୁ ମୁଁ ମରିଗଲେ ଲୋକ ମତେ ବହୁତ ମନେ ପକେଇବେ। ମୋ ପ୍ରତିମୂର୍ତ୍ତି ତିଆରି କରି ପୂଜା କରିବେ। କାରଣ ଓଡ଼ିଶାରେ ମୂର୍ତ୍ତି ପୂଜା କରନ୍ତି। ସତକୁ ସତ ତାଙ୍କ କଥା ସତ ହେଲା। ମୃତ୍ୟୁ ପରେ ଲୋକ ତାଙ୍କୁ ଝୁରୁଛନ୍ତି। ଆଉ ତାଙ୍କୁ ଝୁରୁଛନ୍ତି ବୋଲି ତ ମୁଁ ତାଙ୍କ ଭଳି ଗୀତ ଗାଉଥିବାରୁ ମତେ ବି ମିଳୁଛି ଅଜସ୍ର ଭଲ ପାଇବା।
ଭିକାରୀ ବଳଙ୍କ ଗୀତକୁ ଅନୁସରଣ କରୁଛି, ହେଲେ କେବେ ତାଙ୍କ ପରି ଗାଇପାରିବି ନାହିଁ-ରବୀନ୍ଦ୍ର ମହାପାତ୍ର
ଆଧ୍ୟାତ୍ମିକ ଧାରାବାହିକ ‘ଶ୍ରୀ ଜଗନ୍ନାଥ’ର ‘ଝୁଲେ ଝୁଲେରେ ଝୁଲଣା..’ ‘ହଟିଆ ଠାକୁର ନାଟ ଲଗେଇଛ..’ଗୀତ ଶୁଣିଲେ ଆଖି ଆଗରେ ନାଚି ଉଠିବ ଭଜନ ସମ୍ରାଟ ଭିକାରୀ ବଳଙ୍କ ମୁହଁ। ଲାଗିବ ସେ ହିଁ ଏ ଗୀତ ଗାଉଛନ୍ତି। ହେଲେ ଏ କଣ୍ଠ ତାଙ୍କର ନୁହେଁ, ଏହାର ଗାୟକ ହେଉଛନ୍ତି ରବୀନ୍ଦ୍ର ମହାପାତ୍ର। ଯିଏକି ଏବେ ଓଡିଶାର ଘରେ ଘରେ ପରିଚିତ ଭିକାରୀ ବଳଙ୍କ ଭଳି କଣ୍ଠ ପାଇଁ। ଭୁବନେଶ୍ୱର, ବାଲିଅନ୍ତାର ବଇଁଚୁଆରେ ତାଙ୍କର ଘର। ସେ କହନ୍ତି, ‘ଶ୍ରୀ ଜଗନ୍ନାଥ’ ଧାରାବାହିକର ଏଇ ଗୀତ ଶୁଣି ଅନେକେ ଆଶ୍ଚର୍ଯ୍ୟ ହୋଇଥିଲେ ଇହଧାମ ତ୍ୟାଗ କରିଥିବା ଭିକାରୀ ବଳ ପୁଣି ଏଇ ଗୀତ ଗାଇଲେ କେମିତି? ହେଲେ ମତେ ଆତ୍ମସନ୍ତୋଷ ମିଳିଥିଲା ଯେ, ଯାହା ହେଉ ସେହି ଅମୃତ କଣ୍ଠ ସହିତ ମୋ କଣ୍ଠର କିଛିଟା ସାମଞ୍ଜସ୍ୟ ରହିଛି। ପିଲାଟି ଦିନରୁ ହିଁ ମୁଁ ଭଜନ ସମ୍ରାଟ ଭିକାରୀ ବଳଙ୍କ ଗୀତକୁ ଅନୁସରଣ କରିଆସିଛି। ଆମ ପରିବାରର ସମସ୍ତେ ଭଲ ସଙ୍ଗୀତର ରୁଚି ରଖୁଥିଲେ। ତେଣୁ ଘରେ ଭିକାରୀ ବଳ, ନିମାଇଁ ହରିଚନ୍ଦନଙ୍କର ଅନେକ କ୍ୟାସେଟ୍ ଥିଲା। ତେବେ ଭିକାରୀ ବଳଙ୍କ ଭାବରେ ଭରା ଗୀତ ମତେ ବହୁତ ଭଲ ଲାଗୁଥିଲା। ସେଥିପାଇଁ କ୍ୟାସେଟ୍ରୁ ତାଙ୍କ ଗୀତ ଶୁଣି ତାଙ୍କ ଭଳି ଗାଇବାକୁ ଚେଷ୍ଟା କରୁଥିଲି। ଚତୁର୍ଥ ଶ୍ରେଣୀ ପଢିବାବେଳର କଥା, ଜେଜେ ମୋ ଗୀତ ଶୁଣି କହିଲେ ଇଏ ଭଲ ଗାଉଛି। ୟାକୁ ଗୀତ ଶିଖାଅ। ବାପାଙ୍କୁ ବହୁତ କହିଲେ। ଆଉ ବାପା ମତେ ଗୁରୁ ଯୁଧିଷ୍ଠିର ସାହୁଙ୍କ ପାଖରେ ଓଡ଼ିଶୀ ସଙ୍ଗୀତ ଶିଖେଇଲେ। ସେତେବେଳେ ଅନେକ ସମୟରେ ମୁଁ ସନ୍ଧ୍ୟାରେ ରାମ ମନ୍ଦିର ଓ ବୈକୁଣ୍ଠନାଥ ଆଶ୍ରମକୁ ଗୀତ ଗାଇବାକୁ ଯାଉଥିଲି। ସେଥିପାଇଁ କିଛି ଲୋକ ମୁଁ ଗୀତ ଗାଏ ଓ ଖାସ୍ କରି ଭିକାରୀ ସାର୍ଙ୍କ ଗୀତ ଗାଏ ବୋଲି ମଧ୍ୟ ଜାଣିଥିଲେ। ତେଣୁ ସଙ୍ଗୀତ କାର୍ଯ୍ୟକ୍ରମ ହେଲେ କେହି କେହି ଷ୍ଟେଜ୍ ପରଫରମାନ୍ସ ପାଇଁ ଡାକୁଥିଲେ। ଏମିତିରେ ଥରେ ୧୦ମ ଶ୍ରେଣୀରେ ପଢିବାବେଳେ ଷ୍ଟେଜ୍ରେ ଗୀତ ଗାଉଥାଏ। ସୌଭାଗ୍ୟକୁ ଭିକାରୀ ବଳ ସେଠାକୁ ଆସିଥିଲେ। ସେଦିନ ମତେ କେତେ ଖୁସି ଲାଗିଥିଲା କହିହେବନି। ଲୋକଙ୍କ ଗହଳି ଲାଗିଥିଲା ତାଙ୍କୁ ଦେଖିବା ଓ ତାଙ୍କ ଆଶୀର୍ବାଦ ନେବା ପାଇଁ। ମୁଁ ବି ଷ୍ଟେଜ୍ରୁ ଓହ୍ଲେଇ ତାଙ୍କ ପାଦ ଛୁଇଁ ପ୍ରଣାମ କଲି। ହେଲେ ଭିଡ ଭିତରେ ସେ ମତେ ଅନେଇ ନ ଥିଲେ। ମୁଁ ଆଉ ଥରେ ଯାଇ ମୁଣ୍ଡିଆ ମାରିଥିଲି। ସେଦିନ ଭିକାରୀ ସାର୍ଙ୍କୁ ଛୁଇଁ ପାରିଥିବାରୁ ମନ ଗଗନ ପବନରେ ଉଡୁଥିଲା। କାରଣ ମତେ ସବୁବେଳେ ଲାଗେ ଭିକାରୀ ବଳ, ନିମାଇଁ ହରିଚନ୍ଦନଙ୍କ ପରି ଗାୟକଙ୍କୁ ଭଗବାନ ଜାଣିଶୁଣି ଜନ୍ମ ଦେଇଥିଲେ ଭାବ ଭକ୍ତିର ଧାରା ପ୍ରସାର କରିବା ପାଇଁ। ସେଥିପାଇଁ ତ ସେମାନଙ୍କ କଣ୍ଠରେ ଭାବର ରସ ଭରି ରହିଥିଲା। ସେମାନେ ନିଜ କଣ୍ଠର ଯାଦୁକରୀରେ ଲୋକଙ୍କୁ ଭାବରେ ହଜାଇ ମଜାଇ ପାରୁଥିଲେ। ଲୋକଙ୍କ ମଧ୍ୟରେ ଐଶ୍ୱରିକ ଭାବ ଭରିଦେଇ ପାରୁଥିଲେ। ସେଇ କଣ୍ଠର ଯାଦୁକରୀରୁ ମୁଁ ବା କେମିତି ମୁକୁଳି ପାରିଥାଆନ୍ତି। ତାଙ୍କ ଗୀତ ମୋ ଜୀବନ ପାଲଟି ଯାଇଥିଲା। ଯୁକ୍ତ୨ ପଢ଼ିବା ବେଳର କଥା। ରୂପାଲି ଛକ ପାଖରେ ରହୁଥିବାବେଳେ ଘର ପାଖରେ ଗଣେଶ ପୂଜା ପାଇଁ ପ୍ରୋଗ୍ରାମ ହେଉଥାଏ। ଚିହ୍ନା ଭାଇ ଜଣେ ମତେ ଗାଇବାକୁ କହିଥିଲେ। ସେଠି ମୁଁ ଭିକାରୀ ବଳଙ୍କର ଗୀତ ଗାଇଥିଲି। ସେଠାକୁ ସୁମନ୍ତ ମହାନ୍ତି ଭାଇ ଆସିଥିଲେ। ସେ ମୋ ଗୀତ ଶୁଣି ଖୁସି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ହିଁ ମତେ ଗାଇବାକୁ ସୁଯୋଗ ଦେଲେ। ଆଉ ଆଚାର୍ଯ୍ୟ ବିହାରରେ ଥିବା ‘ଭଏସ୍ ମାଷ୍ଟର’ ଷ୍ଟୁଡିଓରେ ରେକର୍ଡିଂ ହେଲା ମୋର ପ୍ରଥମ ତିନୋଟି କ୍ୟାସେଟ୍ର ଗୀତ, ଯାହାକି ଥିଲା ଭିକାରୀ ବଳଙ୍କ ଲୋକପ୍ରିୟ ଗୀତର ରିମିକ୍ସ। ଗୀତଗୁଡିକ ବେଶ୍ ଲୋକାଦୃତ ହେଲା। ଏହାପରେ ମୋ ମନରେ ଭିକାରୀ ବଳଙ୍କ ସହ ଆଉ ଥରେ ଦେଖା କରିବାର ଲୋଭ ବଢ଼ି ଯାଇଥିଲା। ହେଲେ ସାହସ ହେଉ ନ ଥାଏ ଛୋଟିଆ କଳାକାରଟିଏ ହୋଇ ଏତେ ବଡ଼ ଜ୍ଞାନୀ, ଗୁଣୀଙ୍କ ସହ କିଭଳି ଦେଖା କରିବି। ତେବେ ମତେ ଯେବେ ୨୫ ବର୍ଷ ବୟସ, ଜାଣିବାକୁ ପାଇଲି ଭିକାରୀ ସାର୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଶଯ୍ୟାଶାୟୀ ହୋଇଯାଇଛନ୍ତି। ତାଙ୍କୁ ଟିକେ ଦେଖିବାକୁ ମନ ଆଉଟୁ ପାଉଟୁ ହେଉଥାଏ। ଭଗବାନ ବୋଧେ ମୋ ମନର କଥା ବୁଝିପାରିଥିଲେ। ଦିନେ ବଡ ଭାଇନା ଅରବିନ୍ଦ ମୁଦୁଲି ମତେ ଫୋନ୍ କରି କହିଲେ-ତୁମେ ଥରେ ଯାଉନ ଭିକାରୀ ବଳଙ୍କୁ ଦେଖା କରି ଆସିବ। ମହାପ୍ରଭୁଙ୍କ ନିର୍ଦ୍ଦେଶ ଭାବି ଆଗପଛ ନ ଭାବି ତାଙ୍କ ଘରକୁ ଛୁଟିଲି। ଆଉ ଯେତେବେଳେ ତାଙ୍କୁ ଆଖି ସାମ୍ନାରେ ଦେଖିଲି ବିଶ୍ୱାସ ହେଉ ନ ଥିଲା, ଯାହାଙ୍କୁ ମନ ମନ୍ଦିରରେ ଗୁରୁଭାବେ ପୂଜା କରୁଛି ସେ ମୋ ପାଖରେ ବୋଲି। ହେଲେ ସେ ଖୁବ୍ ଅସୁସ୍ଥ ଥାଆନ୍ତି। ମଝିରେ ମଝିରେ ତାଙ୍କର ସ୍ମୃତିଶକ୍ତି ଚାଲି ଯାଉଥିଲା। ଯେତେବେଳେ ଫେରୁଥିଲା ସେ ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ.. କହୁଥାଆନ୍ତି। ଏହି ସମୟରେ ଥରେ ତାଙ୍କ ନଜର ମୋ ଆଡେ ପଡିଲା। ଆଉ ହାତ ଟେକି ମତେ ଆଶୀର୍ବାଦ ଦେଲେ। ତା’ପରେ ପୁଣି ସ୍ମରଣଶକ୍ତି ଚାଲି ଯାଇଥିଲା। ଯେବେ ସ୍ମରଣଶକ୍ତି ଫେରିଲା ପରିବାର ଲୋକଙ୍କୁ ପଚାରିଲେ ଖାଇବାକୁ ଦେଇଛ ତ? ଆଶ୍ଚର୍ଯ୍ୟ ଲାଗୁଥାଏ ସତରେ କି ମଣିଷ ସିଏ? ଏଭଳି ଅବସ୍ଥାରେ ବି ଆତିଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ତାଙ୍କ ସ୍ନେହ ଆଦର ସେଦିନ ମୋ ହୃଦୟ ଛୁଇଁଥିତ୍ଲା। ସେଠି ମୁଁ ସାର୍ଙ୍କର ଦୁଇଟି ଗୀତ ‘ଏ କଳି କାଳରେ ଘୋର ଦୁର୍ଦ୍ଦିନରେ…,’ ଓ ‘ମନ ପାରାରେ…’ ଗାଇଥିଲି। ଏଇ ଗୀତ ଶୁଣି ଭିକାରୀ ସାର୍ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ତାଙ୍କ କାନ୍ଦ ଦେଖି ମୁଁ ବି କାନ୍ଦି ପକାଇଥିଲି। ସେଦିନର ଅନୁଭୂତି ମୁଁ କେବେ ଭୁଲି ପାରିବି ନାହିଁ। ତାଙ୍କ ସହ ସେଇ ଦେଖା ଥିଲା ମୋର ଶେଷ ଦେଖା। ଭଲ ଗୀତ ଓ ଭଲ ଧାରାରେ ଥିବାରୁ ମତେ ସବୁବେଳେ ଆତ୍ମସନ୍ତୋଷ ମିଳେ। ଶସ୍ତା ଗୀତ ଗାଇ ଶସ୍ତା ଲୋକପ୍ରିୟତା ପାଇବା ଅପେକ୍ଷା ଭଲ ଗୀତ ଗାଇ କମ୍ ଲୋକପ୍ରିୟତା ପାଇବାକୁ ମୁଁ ବେଶି ପସନ୍ଦ କରେ।
ସୋନୁ ନିଗମ ମୋ ଗୀତକୁ ପସନ୍ଦ କରିଥିବାରୁ ଖୁସିଲାଗେ-ସନତ ପାଣିଗ୍ରାହୀ
ବରଗଡ଼ରେ ମୋ ଘର। ଛୋଟବେଳୁ ଗୀତ ଗାଇବାକୁ ମୋତେ ଭଲ ଲାଗୁଥିଲା। ତେବେ ବଡ଼ ହେବା ସହ ସୋନୁ ନିଗମ୍ଙ୍କ ସ୍ବର ମୋର ପ୍ରିୟ ହୋଇଗଲା। ତାଙ୍କ ସ୍ବରର ଯାଦୁରେ ମୁଁ ମତୁଆଲା ହେଇଯାଉଥିଲି। ତେଣୁ ତାଙ୍କ ପରି ଗାଇବାକୁ ଚେଷ୍ଟା କରୁଥିଲି। ସ୍କୁଲ ପ୍ରତିଯୋଗିତାରେ ତାଙ୍କର ଓଡ଼ିଆ ଭଜନ ଗାଉଥିଲି। ତେବେ ବିଧିବଦ୍ଧ ସଙ୍ଗୀତ ଶିକ୍ଷା ପାଇ ନ ଥିବାରୁ ଅଷ୍ଟମ, ନବମ ଶ୍ରେଣୀରେ ପ୍ରାୟ ଦେଢବର୍ଷ ଗୀତ ଶିଖିଲି। ଯଦିଓ ପାଠପଢ଼ା ଲାଗି ପରେ ଗୀତ ଶିଖିବା ବନ୍ଦ ହୋଇଗଲା। ହେଲେ ଗ୍ରାଜୁଏଶନ୍ ପାଇଁ ଯେତେବେଳେ କଟକର ରେଭେନ୍ଶା କଲେଜ ଆସିଲି ମୋ ଗୀତ ଗାଇବାର ଧାରା ପୁଣି ଆରମ୍ଭ ହୋଇଗଲା। ବିଭିନ୍ନ ପ୍ରତିଯୋଗିତାରେ ଗାଇଲି। ସୋନୁ ନିଗମଙ୍କ ଭଳି ଗାଉଥିବାରୁ ସେଠି ମୋର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଯାଇଥିଲା। କଟକର କଲେଜ ଛକରେ ସବୁବର୍ଷ ଦଶହରାବେଳେ ମେଲୋଡି ହୁଏ। ସେହି କମିଟିର ସଦସ୍ୟ ଜାଣିଥିଲେ ମୁଁ ଗୀତ ଗାଏ ବୋଲି। ତେଣୁ ସେମାନେ ମୋତେ ସୁଯୋଗ ଦେଲେ ଗାଇବାକୁ। ଏହା ୨୦୧୭ର କଥା। ପ୍ରଥମକରି ମୁଁ ଷ୍ଟେଜ୍ରେ ଅର୍କେଷ୍ଟ୍ରାରେ ଗୀତ ଗାଇଥିଲି। ଏହାପରେ ମତେ ବିଭିନ୍ନ କାର୍ଯ୍ୟକ୍ରମରେ ଡକାଗଲା। କହିବାକୁ ଗଲେ କଟକ ମାଟି ମତେ ପରିଚୟ ଦେଇଛି। ଯଦିଓ ମୁଁ ଅର୍କେଷ୍ଟ୍ରାରେ ସମ୍ବଲପୁରୀ, ରକ୍, ଗଜଲ ସବୁ ପ୍ରକାରର ଗୀତ ଗାଉଛି। ହେଲେ ଯାହାବି ଗାଏ ସେଥିରେ ମୁଁ ସୋନୁ ନିଗମ୍ଙ୍କ ପରି ହରକତ୍ ଦିଏ। ତାଙ୍କ ଶୈଳୀକୁ ମିଶାଇବାକୁ ଚେଷ୍ଟା କରେ। କିଛି ଲୋକ ଏହାକୁ ପ୍ରଂଶସା କରନ୍ତି ତ ଆଉ କିଏ କହନ୍ତି ତୁମର ଟିମ୍ବର, ହରକତ୍ ସୋନୁଙ୍କ ଭଳି ତାକୁ ବଦଳାଅ। ହେଲେ ସେମାନଙ୍କର ସେଇ କଥା ମତେ ଭଲ ଲାଗେ। ଭଗବାନଙ୍କୁ ଧନ୍ୟବାଦ ଦିଏ ଯେ, ଯାହା ହେଉ ଲୋକ ମତେ ସୋନୁ ନିଗମ୍ଙ୍କ ସହ ତୁଳନା କରୁଛନ୍ତି। ହେଲେ ମୁଁ ଜାଣେ, ସାତ ଜନ୍ମରେ ବି ତାଙ୍କ ଭଳି ଗାଇ ପାରିବିନି। ଅନେକଥର ଷ୍ଟେଜ୍ରେ ଗାଉଥିବା ତାଙ୍କ ଗୀତକୁ ମୁଁ ରେକର୍ଡିଂ କରି ସେହି ଭିଡିଓକୁ ସୋନୁ ନିଗମ୍ଙ୍କ ଫେସ୍ବୁକ୍ ଆଇଡିରେ ଶେୟାର କରିଥାଏ। ନିକଟରେ ଅବିଶ୍ୱସନୀୟଭାବେ ସୋନୁ ନିଗମ୍ ମୋର ଏକ ଭିଡିଓ ଉପରେ କମେଣ୍ଟ ଦେଇ ବହୁତ ପ୍ରଶଂସା କରିଥିଲେ। ଏମିତିକି ସେହି ଭିଡିଓକୁ ନିଜ ପର୍ସନାଲ ଫେସବୁକ୍ ଆଇଡିରେ ବି ଶେୟାର କରିଥିଲେ। ସେଦିନ ମୋ ଖୁସିର ସୀମା ନ ଥିଲା। ଏବେ ମୋ ମନରେ ଗୋଟିଏ ସ୍ବପ୍ନ ଅଛି। ସେ ହେଉଛି ଜୀବନରେ ଯେମିତି ବି ହେଉ ଥରେ ତାଙ୍କ ସହ ଦେଖା କରିବି। ଆଉ ତାଙ୍କ ପାଦ ଛୁଇଁ ନିଶ୍ଚୟ ଆଶୀର୍ବାଦ ନେବି। ଏବେ ମୁଁ ବିଭିନ୍ନ ଷ୍ଟେଜ୍ ଶୋ’ ପାଇଁ ବ୍ୟସ୍ତ ରହୁଛି। ସଙ୍ଗୀତ କ୍ଷେତ୍ରରେ ଯେତିକି ବାଟ ବି ଆଗେଇଛି ସେଥିରେ ପରିବାର ଲୋକଙ୍କର ବି ସହଯୋଗ ରହିଛି। ଜୀବନରେ ମୁଁ ଏତିକି ଚାହେଁ ଯେମିତିକି ମରିବାପରେ ଲୋକ କହିବେ ଜଣେ ଭଲ ମଣିଷ ଓ ଭଲ କଳାକାର ଚାଲିଗଲା ବୋଲି।
-ଶିବାନୀ ମହାନ୍ତି