ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା: ଜାଣନ୍ତୁ କେବେଠାରୁ କରିବେ ଆବେଦନ…

ଭୁବନେଶ୍ୱର(ବ୍ୟୁରୋ),୧୦ା୮-ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏକକ ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟତା ଭିତ୍ତିରେ ଛାତ୍ରୀଛାତ୍ରଙ୍କ ନାମଲେଖା ଅନୁଷ୍ଠିତ ହେବ। ଏନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଉକ୍ତ ବିଜ୍ଞପ୍ତି ଅନୁସାରେ, ପ୍ରବେଶିକା ପରୀକ୍ଷା ଲାଗି ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାରୁ ୩୧ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରୀଛାତ୍ର www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ନିଜର ହଲ୍‌ ଟିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ସମଗ୍ର ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୦ ମଧ୍ୟରେ ଆବେଦନକାରୀ ସ୍ନାତକ ମାର୍କଶିଟ୍‌ ଦାଖଲ କରିବେ। ଅକ୍ଟୋବର ୨୦ ସୁଦ୍ଧା ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଓକାକ୍‌କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବେ ଓ ୨୫ରେ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ। ପିଜି ପାଠ୍ୟକ୍ରମ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ପହିଲାରୁ ପିଜି ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହେବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Share