Categories: ବାଣିଜ୍ୟ

ଏକାମ୍ର ଆୟକର ଆବାସ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୩ (ଅଭୟ ଦାଶ): ଆୟକର ବିଭାଗ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧା ସୁଯୋଗ ବିଶିଷ୍ଟ ବହୁତଳ ପ୍ରାସାଦ ‘ଏକାମ୍ର ଆୟକର ଆବାସ’ ପ୍ରକଳ୍ପ ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ନୂଆଦିଲ୍ଲୀର ଅଧ୍ୟକ୍ଷ ନୀତିନ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ ସହ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏଫ୍‌ଏସି ନୂଆଦିଲ୍ଲୀର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ବିହାର ଏବଂ ଝାଡ଼ଖଣ୍ଡର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଦିଲ୍ଲୀର ପ୍ରଧାନ ମୁଖ୍ୟ ଆୟକର ନିର୍ଦ୍ଦେଶକ (ପ୍ରଶିକ୍ଷଣ) ସୀମାଞ୍ଚଳ ଦାଶଙ୍କ ସମେତ ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ମୋରା ଭୂପାଳ ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଭାଗର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ଗାଡ଼କଣଠାରେ ୫ ଏକର ପରିବ୍ୟାପ୍ତ ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଉକ୍ତ ପ୍ରକଳ୍ପରେ ମୋଟ ୨୦,୫୪୮ ବର୍ଗ.ମି. ଜମିରେ ସମସ୍ତ ପ୍ରକାର ସୁବିଧା ସହିତ ସୁରକ୍ଷା ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ସେହିଭଳି ୧୧୫ଟି ଟାଇପ-୩ କ୍ୱାର୍ଟର୍ସ ରହିଥିବାବେଳେ ୮୨ଟି ଟାଇପ-୪ କ୍ୱାର୍ଟର୍ସ ଏବଂ ୨୨ଟି ଟାଇପ-୫ କ୍ୱାର୍ଟର୍ସ ଓ ୬ଟି ଟାଇପ-୬ କ୍ୱାର୍ଟର୍ସ ରହିଛି। ଅପରପକ୍ଷରେ କେନ୍ଦ୍ରୀୟ ସଂସ୍ଥା ବ୍ରିଜ ଆଣ୍ଡ ରୁଫ୍‌ କୋ. (ଇଣ୍ଡିଆ) ଲିମିଟେଡ ଦ୍ୱାରା ଉକ୍ତ ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ କରାଯାଇଛି ବୋଲି ଭୁବନେଶ୍ୱର ଆୟକର କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

Share