ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩।୭ (ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ବୁଧବାରଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଆରମ୍ଭ ହେବ। ଏହି ପରୀକ୍ଷା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିନକୁ ୩ଟି ଶିଫ୍ଟରେ ପରୀକ୍ଷା ହେବ। ପ୍ରଥମ ଶିଫ୍ଟ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ଶିଫ୍ଟ ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ଏବଂ ତୃତୀୟ ଶିଫ୍ଟ ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ପ୍ରତ୍ୟେକ ଶିଫ୍ଟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଅତିରିକ୍ତ ୨ମିନିଟ୍‌ ଦିଆଯିବ। ସୂଚନାଯୋଗ୍ୟ, ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୨ଟି ଶିକ୍ଷାନୁଷ୍ଠାନରେ ୨୮,୯୦୬ଟି ସିଟ୍‌ ରହିଛି। ଏହି ସିଟ୍‌ରେ ନାମଲେଖା ପାଇଁ ୨୦୨୪-୨୫ରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେବାକୁ ୬୩,୧୮୪ଜଣ ଆବେଦନ କରିଛନ୍ତି। ଏହି ପରୀକ୍ଷାକୁ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌ଏସ୍‌ବି) ସଞ୍ଚାଳନ କରୁଛି। ୧୨ରୁ ୨୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ସେମାନଙ୍କ ସ୍ନାତକ ବା ତତ୍ତୁଲ୍ୟ ମାର୍କ ଅପଡେଟ୍‌ କରିବେ। ତା’ପରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ତେବେ ମେରିଟ୍‌ ଲିଷ୍ଟ ପ୍ରକାଶ ତାରିଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଚୟନ ହୋଇଥିବା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ। ଚଳିତବର୍ଷ ତିନୋଟି ପର୍ଯ୍ୟାୟରେ ନାମଲେଖା ହେବ। ପ୍ରତି ପର୍ଯ୍ୟାରେ ୪ ରାଉଣ୍ଡ୍‌ରେ ନାମଲେଖା ହେବ। ଶେଷ ରାଉଣ୍ଡ୍‌ରେ ସ୍ପଟ୍‌ ନାମଲେଖା କରାଯିବ। ଛାତ୍ରୀଛାତ୍ର ଯେଉଁ ରାଉଣ୍ଡ୍‌ରେ ନାମ ଲେଖାଇବାକୁ ଚୟନ ହେବେ, ସେହି ପର୍ଯ୍ୟାୟରେ ନାମ ଲେଖାଇବେ। ନଚେତ ପରବର୍ତ୍ତୀ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ। ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚାହୁଁଥିଲେ ସ୍ଲାଇଡ୍‌ ଅପସନ୍‌ ଦେଇପାରିବେ। ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟର ଏମ୍‌ଏ ପାଠ୍ୟକ୍ରମ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ମଧ୍ୟ ସିପିଇଟି ପରୀକ୍ଷା କରାଯାଉଛି।