Categories: ଖେଳ

ସିନରଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ, ୨୯ା୧ (ଏପି): ଜାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଏହା ହେଉଛି ତାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ। ଇଟାଲୀର ପ୍ରଥମ ଖେଳାଳି ହିସାବରେ ଅଷ୍ଟ୍ରେଲିଆନ ଓପନ ଜିତିବାର ସେ ଗୌରବ ଅର୍ଜନ କରିଛନ୍ତି। ୨୨ବର୍ଷୀୟ ସିନର ରବିବାର ଫାଇନାଲରେ ଡାନିଲ୍‌ ମେଡଭେଡେଭଙ୍କୁ ୩-୬, ୩-୬, ୬-୪, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଇଟାଲୀର ଏହି ଯୁବ ଟେନିସ ଖେଳାଳି ଅଷ୍ଟ୍ରେଲିଆନ ଓପନରେ ପ୍ରାଧାନ୍ୟବିସ୍ତାର କରି ଆସୁଥିବା ନୋଭାକ ଜୋକୋଭିଚ୍‌ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିବା ସହ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ମେଡଭେଡେଭ ଏପର୍ଯ୍ୟନ୍ତ ଖେଳିସାରିଥିବା ୬ ଗ୍ରାଣ୍ଡସ୍ଲାମ ଫାଇନାଲ ମଧ୍ୟରେ ଏହା ହେଉଛି ୫ମ ପରାଜୟ। ଅନ୍ୟପକ୍ଷରେ ଟୁର୍ନାମେଣ୍ଟରେ ତାଙ୍କର ଚତୁର୍ଥ ୫ ସେଟ୍‌ ବିଶିଷ୍ଟ ମ୍ୟାଚ ଖେଳି ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି ତୃତୀୟ ସିଡ୍‌ ମେଡ୍‌ଭେଡେଭ। ଓପନ ଯୁଗରେ ଏକ ଗ୍ରାଣ୍ଡସ୍ଲାମ କୋର୍ଟରେ ସବୁଠାରୁ ଅଧିକ ସମୟ ଧରି ଖେଳିବାରେ ସେ ଅଲ୍‌କାରାଜଙ୍କ ୨୩:୪୦ (୨୦୨୨ ୟୁଏସ୍‌ ଓପନ)ଙ୍କ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ମେଡ୍‌ଭେଡେଭ ୨୦୨୧ରେ ଜୋକୋଭିଚ୍‌ଙ୍କଠାରୁ ପଛକୁ ପଛ ଫାଇନାଲରେ ପରାଜିତ ହୋଇଥିଲେ। ଏହାର ପର ବର୍ଷ ସେ ଦୁଇ ସେଟ୍‌ ଅଗ୍ରଣୀ ଥାଇ ମଧ୍ୟ ରାଫାଲ ନାଡାଲଙ୍କଠାରୁ ପରାଜିତ ହୋଇଥିଲେ। ଏଥର ଚାମ୍ପିୟନଶିପ୍‌ ମ୍ୟାଚରେ ପହଞ୍ଚତ୍ବା ପୂର୍ବରୁ ସେ ତିନୋଟି ୫ ସେଟ୍‌ ବିଶିଷ୍ଟ ମ୍ୟାଚ ଜିତିଥିଲେ। ଦୁଇଥର ସେ ଦୁଇ ସେଟ୍‌ରେ ପଛୁଆ ଥାଇ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲେ।

 

 

 

 

Share