ସିପା, ଲିପାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ବେଙ୍ଗାଲୁରୁ ଦମ୍ପତି

କଟକ,୧୬ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶିଶୁକନ୍ୟା ସିପା ଓ ଲିପାଙ୍କୁ ମିଳିଲା ନୂଆ ଠିକଣା। ବେଙ୍ଗାଲୁରୁର ରାହୁଲ ଆଇଜାକ୍‌ ଓ ଆଞ୍ଜେଲିନ କୁଟ୍ଟାବିଲା କଟକସ୍ଥିତ ବସୁନ୍ଧରାରୁ ଆଇନଗତ ଭାବେ ସିପା ଓ ଲିପା ଦୁଇ ଭଉଣୀଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ଏଥିପାଇଁ ବେଙ୍ଗାଲୁରୁ ଦମ୍ପତିଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଅତିରିକ୍ତ ଜିଲାପାଳ (ଉନ୍ନୟନ ଓ ରାଜସ୍ବ) ଉମାକାନ୍ତ ରାଜଙ୍କ ଉପସ୍ଥିତିରେ ଶିଶୁକନ୍ୟାଦ୍ୱୟଙ୍କୁ ସେମାନଙ୍କ ନୂତନ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଶିଶୁକନ୍ୟାଦ୍ୱୟଙ୍କୁ ପରିବାର, ମାତାପିତା ଓ ପରିଚୟ ମିଳିପାରିଥିବାରୁ ଅତିରିକ୍ତ ଜିଲାପାଳ ରାଜ୍‌ ସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଓ ଆଞ୍ଜେଲିନଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ ମତ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୨୧ରେ ଜଗତପୁର ଅଞ୍ଚଳରୁ ଶିଶୁକନ୍ୟାଦ୍ୱୟଙ୍କୁ ବସୁନ୍ଧରା ପକ୍ଷରୁ ଉଦ୍ଧାର କରାଯାଇଥିଲା। ଜଣଙ୍କର ବୟସ ଅଢ଼େଇବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୪ ବର୍ଷ। ୨୦୨୨ ଜାନୁୟାରୀ ୧୦ରେ ରାହୁଲ ଓ ଆଞ୍ଜେଲିନ ଉଭୟ ଶିଶୁକନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ। ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂସାଧନ କର୍ତ୍ତୃପକ୍ଷ ବିନା ଆପତ୍ତିରେ ଏହି ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ନିମନ୍ତେ ଗତ ଜୁଲାଇ ୧୫ରେ ଅନୁମତି ପ୍ରଦାନ କରିଥିଲେ। ସିପା ଓ ଲିପାଙ୍କ ବାପା ପେସାରେ ଜଣେ ମାର୍କେଟିଂ ମ୍ୟାନେଜର ଓ ମାତା ବରିଷ୍ଠ ପରିସଂଖ୍ୟାନ ପରିଚାଳନା ଅଧିକାରୀ ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି। ଏ ସମ୍ପର୍କରେ ରାହୁଲ ଓ ଆଞ୍ଜେଲିନ କହିଛନ୍ତି, ସିପା ଏବଂ ଲିପା ସେମାନଙ୍କୁ ଖୁବ୍‌ ଭଲ ପାଉଛନ୍ତି। ସେମାନେ ମଧ୍ୟ ଦୁଇ ଶିଶୁକନ୍ୟାଙ୍କୁ ଅଧିକ ଭଲ ପାଉଛନ୍ତି। ସିପା ଓ ଲିପାଙ୍କର ନୂତନ ଜୀବନ ଯାତ୍ରାରେ ପ୍ରଶାସନର ସହଯୋଗ ଏକ ନୂତନ ପ୍ରେରଣା ଯୋଗାଇବ।