ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଗୋଟିଏ ବିଚକ୍ଷଣ ଚୋର ସହ ଏକ ଉଦୀୟମାନ ଚୋରର ବନ୍ଧୁତା ହେଲା। ଉଦୀୟମାନ ଚୋର ପଚାରିଲା, ‘ତୁମେ କେବେ ଧରାପଡ଼ିନାହିଁ?’ ବିଚକ୍ଷଣ ଉତ୍ତର ଦେଲା, ‘ମୁଁ କେବେ ଧରାପଡ଼ିନାହିଁ। ବୁଦ୍ଧିଥିଲେ ସହଜରେ ଖସି ଯାଇହୁଏ।’ ଦିନେ ରାତିରେ ବୁଦ୍ଧି ଶିଖିବା ପାଇଁ ଉଦୀୟମାନ ଚୋର ବିଚକ୍ଷଣ ଚୋର ସାଙ୍ଗରେ ସାମରିକ ଅଫିସରମାନଙ୍କର ଏକ ମେସ୍କୁ ପଶିଲା। ସେମାନେ ଦେଖିଲେ ରନ୍ଧନଶାଳାରେ ଅନେକ ପ୍ରକାର ସୁସ୍ବାଦୁ ଖାଦ୍ୟ ଅଛି। ଦୁହେଁ ଖାଇବାକୁ ଲାଗିଲେ। ହଠାତ୍ ବିଚକ୍ଷଣ ଚୋର ହାତରୁ ପ୍ଲେଟ୍ଟିଏ ଖସିପଡ଼ିଲା। ସେହି ଶବ୍ଦରେ ଜଣେ ସାମରିକ ଅଫିସରଙ୍କ ନିଦ ଭାଙ୍ଗିଗଲା। ସେ ଉଠିପଡ଼ି ଉଚ୍ଚ ସ୍ବରରେ ପଚାରିଲେ, ‘କିଏ’? ବିଚକ୍ଷଣ ଚୋର ସଙ୍ଗେ ସଙ୍ଗେ ‘ମିଅଁାଓ’ ବୋଲି ଶବ୍ଦ କଲା। ସାମରିକ ଅଫିସର ଭାବିଲେ ବୋଧହୁଏ ବିଲେଇଟିଏ ପ୍ଲେଟ୍ଟିକୁ ପକାଇଦେଲା। ତା’ପରେ ସେ ପୁଣି ଶୋଇପଡ଼ିଲେ। ଉଦୀୟମାନ ଚୋର ଭାବିଲା ସେ ବୁଦ୍ଧି ଶିଖିଗଲା। ବିଚକ୍ଷଣ ଚୋର ମେସ୍ରୁ ବାହାରିଯିବା ପରେ ଉଦୀୟମାନ ଚୋର ଆହୁରି କିଛି ସୁଖାଦ୍ୟ ଖୋଜିବାକୁ ଲାଗିଲା। ଖୋଜୁ ଖୋଜୁ ତା’ ହାତରୁ ଖସିଗଲା ଗୋଟିଏ ଟ୍ରେ। ପୁଣି ସେହି ଶବ୍ଦ ଦ୍ୱାରା ସାମରିକ ଅଫିସରଙ୍କ ନିଦ ଭାଙ୍ଗିଗଲା। ସେ ଚିତ୍କାର କଲେ ‘କିଏ’? ତତ୍କ୍ଷଣାତ୍ ବୁଦ୍ଧି ଶିଖିଯାଇଛି ଭାବିଥିବା ଉଦୀୟମାନ ଚୋର ଉତ୍ତର ଦେଲା, ‘ମୁଁ ଆଉ ଗୋଟିଏ ବିଲେଇ’ା ତା’ପରେ ସେ ଯେଉଁ କରୁଣ ଅବସ୍ଥା ଭୋଗିଥିବ ତାହା ସହଜରେ ଅନୁମେୟ। ଗତ ଜାନୁୟାରୀ ୭ରେ ପ୍ରକାଶ ପାଇଥିବା ଏକ ଖବର ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ୱାରା ପରିବେଶିତ ଏହି କାହାଣୀଟିକୁ ମନେ ପକାଇଦେଲା। ବେଳେବେଳେ ଅନୁକରଣ କରିବାକୁ ଯାଇ ତାହା କିଭଳି ହନୁକରଣରେ ରୂପାନ୍ତରିତ ହୁଏ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ଏହି କାହାଣୀଟି ଏକ ଦୃଷ୍ଟାନ୍ତ ମାତ୍ର।
କିଛି ଦିନ ତଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ତାଙ୍କୁ ସମ୍ବୋଧନ କଲାବେଳେ ମାଇଁ ଲର୍ଡ, ୟୋର ଲର୍ଡଶିପ୍ ଭଳି ଶବ୍ଦ ବ୍ୟବହାର ନ କରିବାକୁ ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି। ତା’ ପରିବର୍ତ୍ତେ ସମ୍ମାନସୂଚକ ଶବ୍ଦ ସାର୍/ମ୍ୟାଡାମ ବ୍ୟବହାର କରାଯାଇପାରେ ବୋଲି ମତ ଦେଇଛନ୍ତି। ୨୦୦୯ରେ ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଓ ୨୦୨୦ରେ ପଞ୍ଜାବ ହରିୟାନା ଉଚ୍ଚ ନ୍ୟାୟାଳୟରେ ବିଚାରପତି ଥିବାବେଳେ ମଧ୍ୟ ସେ ଏହି ଅନୁରୋଧ କରିଥିଲେ। ୨୦୦୬ରେ ବାର କାଉନ୍ସିଲ ଅଫ୍ ଇଣ୍ଡିଆ ମଧ୍ୟ ଏହିଭଳି ସମ୍ବୋଧନକୁ ଉଚ୍ଛେଦ କରିବା ପାଇଁ ଏକ ସଂକଳ୍ପ ପାରିତ କରିଥିଲେ, କାରଣ ଏହାଥିଲା ଔପନିବେଶିକ ଅତୀତର ସ୍ମାରକୀ। ତା’ସତ୍ତ୍ୱେ ଭାରତ ସ୍ବାଧୀନତା ପାଇବାର ୭୫ ବର୍ଷ ପରେ ମଧ୍ୟ ଏହି ପରମ୍ପରା ଉଚ୍ଛେଦ ହୋଇପାରି ନାହିଁ। ସେ ଯାହାହେଉ, ଓଡ଼ିଶାର ମୁଖ୍ୟ ବିଚାରପତିଙ୍କ ଏହି ଅନୁରୋଧକୁ ସ୍ବାଗତ କରାଯାଇଛି।
ଠିକ୍ ଏହି ଢଙ୍ଗରେ ନିକଟରେ କେରଳର ପାଲାକଡ୍ ଜିଲାର ଓଲାସାରି ଗଁାରେ ଥିବା ଏକ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲର ଅଧ୍ୟକ୍ଷ ଭାନୁଗୋପାଳନ୍ ନିଷ୍ପତ୍ତି ନେଇଛନ୍ତି ଯେ, ସେଠାରେ ଏଣିକି ଛାତ୍ରୀଛାତ୍ରମାନେ ଶିକ୍ଷକମାନଙ୍କୁ ସାର୍ ଓ ଶିକ୍ଷୟିତ୍ରୀମାନଙ୍କୁ ମ୍ୟାଡାମ୍ ସମ୍ବୋଧନ ପରିବର୍ତ୍ତେ ‘ଟିଚର୍’ ସମ୍ବୋଧନ କରିବେ। ଏହାଦ୍ୱାରା ଲିଙ୍ଗ ନିରପେକ୍ଷତା ବଜାୟ ରହିବ ଓ ଔପନିବେଶିକ ପ୍ରଭାବରୁ ମୁକ୍ତି ମିଳିବ। ତାଙ୍କ କହିବା ଉଦ୍ଦେଶ୍ୟ ହେଉଛି ଯେ, ପ୍ରତ୍ୟେକ କ୍ଷେତ୍ରରେ ସାମର୍ଥ୍ୟ ଦୃଷ୍ଟିରୁ ପୁରୁଷ ଓ ମହିଳା ମଧ୍ୟରେ କୌଣସି ଭିନ୍ନତା ନାହିଁ। ସାର୍ ଓ ମ୍ୟାଡାମ୍ ସମ୍ବୋଧନ ଲିଙ୍ଗଭେଦ ସୂଚାଉଛି। ଜଣେ ଶିକ୍ଷକ ଲିଙ୍ଗଭିତ୍ତିରେ ପରିଚିତ ଓ ସମ୍ବୋଧିତ ହେବା ଠିକ୍ ନୁହେଁ। ସେ ପୁରୁଷ ହୁଅନ୍ତୁ ବା ମହିଳା, ସେ ଜଣେ ଶିକ୍ଷକ। ଏଣୁ ଏକ ଲିଙ୍ଗ ନିରପେକ୍ଷ ଶବ୍ଦ ବ୍ୟବହୃତ ହେବା ଉଚିତ ବୋଲି ଅଧ୍ୟକ୍ଷଙ୍କ ମତ।
ସ୍କୁଲ ଅଧ୍ୟକ୍ଷଙ୍କ ଏହି ନିଷ୍ପତ୍ତି ମୁଖ୍ୟ ବିଚାରପତି ମୁରଲୀଧରଙ୍କ ଦୃଷ୍ଟିଭଙ୍ଗୀର ଏକ ହନୁକରଣ ଭଳି ମନେହୁଏ। ପ୍ରବନ୍ଧର ପ୍ରାରମ୍ଭରେ କଥିତ ଉଦୀୟମାନ ଚୋରର ହନୁକରଣ ସହ ଏହା ସାମଞ୍ଜସ୍ୟ ରକ୍ଷା କରେ। ପ୍ରଥମତଃ ସ୍ବାଧୀନ ଭାରତରେ ଔପନିବେଶିକ ଯୁଗରେ ପ୍ରଚଳିତ ଥିବା ପ୍ରଥାରୁ ମୁକ୍ତ ହେବା ପାଇଁ ବିଚାରପତି ମହାଶୟ ‘ସାର୍/ମ୍ୟାଡାମ୍’ ସମ୍ବୋଧନ ଯଥେଷ୍ଟ ବୋଲି କହିଛନ୍ତି। ଏହି ଶବ୍ଦ ଦୁଇଟି ବିଦେଶୀ ହୋଇଥିଲେ ମଧ୍ୟ ଏହା ସମ୍ମାନସୂଚକ ଶବ୍ଦ ଭାବରେ ପ୍ରତ୍ୟେକ କ୍ଷେତ୍ରରେ ଗ୍ରହଣୀୟ ହୋଇସାରିଛି। ମାତ୍ର ସ୍କୁଲର ଅଧ୍ୟକ୍ଷ ଏହି ଶବ୍ଦ ଦିଓଟିକୁ ଲିଙ୍ଗଭେଦସୂଚକ କହିବା ସଙ୍ଗେ ସଙ୍ଗେ ଔପନିବେଶିକ ସ୍ମାରକୀ ବୋଲି କହି ଏହା ପରିତ୍ୟଜ୍ୟ କହିଛନ୍ତି। ମାତ୍ର ଯଦି ଏହା ଉପନିବେଶ ଯୁଗର ସ୍କାରକ, ‘ଟିଚର୍’ ଶବ୍ଦ ମଧ୍ୟ ସେହି ଯୁଗରେ ପ୍ରୟୋଗ ହୋଇଛି। ଏହା ମଧ୍ୟ ଔପନିବେଶିକ ପରମ୍ପରା। ଅତୀତରେ ଇଂଲଣ୍ଡର ସ୍କୁଲଗୁଡ଼ିକରେ ମଧ୍ୟ ଏହି ‘ସାର୍’ ସମ୍ବୋଧନ ଥିଲା। ମାତ୍ର ଶିକ୍ଷକତା ପାରିବାରିକ କର୍ମ ସହ ସହାବସ୍ଥାନକ୍ଷମ ନୁହେଁ ବୋଲି ଧାରଣା ଥିଲା। ତେଣୁ ମହିଳା ଶିକ୍ଷକମାନେ ଅବିବାହିତ ରହୁଥିଲେ ଓ ସେମାନଙ୍କୁ ସେହି ଅନୁଯାୟୀ ‘ମିସ୍’ ସମ୍ବୋଧନ କରାଯାଉଥିଲା। ଅବଶ୍ୟ ଏବେ ଏହି ଧାରଣା ବଦଳିଛି ଓ ମହିଳା ଶିକ୍ଷକମାନେ ବିବାହ କରୁଛନ୍ତି। ଇଂଲଣ୍ଡରେ ଏବେ ମଧ୍ୟ ଅନେକ ସ୍କୁଲରେ ଶିକ୍ଷକମାନଙ୍କୁ ଲିଙ୍ଗଭେଦ ଅନୁଯାୟୀ ମିଷ୍ଟର ଜୋନ୍ସ, ମିସେସ୍ ସ୍ମିଥ ଏହିଭଳି ସମ୍ବୋଧନ କରାଯାଉଛି। ଅବଶ୍ୟ ସମ୍ପ୍ରତି କେତେକ ସ୍କୁଲରେ ଲିଙ୍ଗଭେଦ ଏଡ଼େଇବା ପାଇଁ ‘ଟିଚର୍’ ଶବ୍ଦର ପ୍ରୟୋଗ ଆରମ୍ଭ ହୋଇଛି। କେରଳର ଏହି ସ୍କୁଲଟି ଇଂରାଜୀ ମାଧ୍ୟମ ସ୍କୁଲ ହୋଇଥିବାରୁ ‘ଟିଚର’ ଶବ୍ଦର ପ୍ରୟୋଗକୁ ଗ୍ରହଣ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସାର୍ ଓ ମ୍ୟାଡାମ୍ ଶବ୍ଦ ଲିଙ୍ଗଭେଦ ଅବଶ୍ୟ ସୂଚାଏ। ମାତ୍ର ଯେଉଁ ଛାତ୍ରୀଛାତ୍ରମାନେ ଏହି ଶବ୍ଦ ଦୁଇଟି ବ୍ୟବହାର କରନ୍ତି, ସେମାନଙ୍କ ସମ୍ମାନବୋଧରେ ଲିଙ୍ଗଭେଦ ନଥାଏ କିମ୍ବା ଦୁଇଟି ସମ୍ବୋଧନ ପୁରୁଷ ଶିକ୍ଷକଙ୍କୁ ବେଶି ସମ୍ମାନ ଓ ମହିଳା ଶିକ୍ଷକଙ୍କୁ କମ୍ ସମ୍ମାନ ସୂଚାଏ ନାହିଁ। ପୁନଶ୍ଚ ପଦପଦବୀରେ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲିଙ୍ଗଭେଦ ପରିଚୟକୁ ଉଚ୍ଛେଦ କଲେ ମଧ୍ୟ ଜୈବିକ ଦୃଷ୍ଟିରୁ ଲିଙ୍ଗଭେଦ ରହିବ ହିଁ ରହିବ। ଏହା ପ୍ରକୃତିଦତ୍ତ। ଏଣୁ ସମ୍ମାନବୋଧ ଅକ୍ଷୁଣ୍ଣ ରଖି ଲିଙ୍ଗସୂଚକ ଶବ୍ଦ ସାର୍ ଓ ମ୍ୟାଡାମ୍ ବ୍ୟବହାର କଲେ କ୍ଷତି କ’ଣ? ଉତ୍ତର ଉପନିବେଶ ଯୁଗରେ ସାର୍ ଓ ମ୍ୟାଡାମ୍ ଶବ୍ଦ ଆଉ ଔପନିବେଶିକ ଶବ୍ଦ ଭାବରେ ରହିନାହିଁ। ଏହା ସମ୍ମାନସୂଚକ ଶବ୍ଦ ଭାବରେ ପୃଥିବୀର ବହୁ ଦେଶରେ ବ୍ୟବହୃତ ହେଉଛି। ଭାରତରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରୁଥିବା ସ୍କୁଲଗୁଡ଼ିକରେ ମଧ୍ୟ ଛାତ୍ରୀଛାତ୍ରମାନେ ଏହି ଶବ୍ଦ ଦିଓଟିକୁ ସମ୍ମାନସୂଚକ ଶବ୍ଦ ଭାବରେ ବ୍ୟବହାର କରୁଛନ୍ତି।
ଭାଷା ହେଉଛି ଏକ ପ୍ରବହମାନ ଧାରା। ସେହି ପ୍ରବାହ ମଧ୍ୟରେ ଅନେକ ବିଦେଶୀ ଶବ୍ଦ ମଧ୍ୟ ମିଶିଯାଏ। ଠିକ୍ ସେହିଭଳି ଏବେ ସାର୍ ଓ ମ୍ୟାଡାମ୍ ଶବ୍ଦ ଦୁଇଟି ଭାରତୀୟ ଭାଷାରେ ମିଶିଗଲାଣି। ‘ଟିଚର୍’ ସମ୍ବୋଧନ ଲିଙ୍ଗ ନିରପେକ୍ଷତା ସୂଚାଇପାରେ, ମାତ୍ର ଭାରତରେ ଏହି ଶବ୍ଦରେ ସମ୍ବୋଧନ ସମ୍ମାନବୋଧ ସୃଷ୍ଟି କରିପାରିବ ନାହିଁ। ଅପରପକ୍ଷରେ ଛାତ୍ରୀଛାତ୍ରମାନେ ସାର୍ ଓ ମ୍ୟାଡାମ୍ ସମ୍ବୋଧନ କଲାବେଳେ ସେଥିରେ ସେମାନଙ୍କର ବିନମ୍ରତା ପ୍ରକାଶପାଏ। ବିନମ୍ରତାପୂର୍ଣ୍ଣ ଜିଜ୍ଞାସା ବିନା ଶିକ୍ଷକଙ୍କଠାରୁ ଶିକ୍ଷା ଲାଭ ସମ୍ଭବ ନୁହେଁ। ଜ୍ଞାନଦାନ କରୁଥିବା ଶିକ୍ଷକ ଯେ ଛାତ୍ରୀଛାତ୍ରମାନଙ୍କଠାରୁ ଉଚ୍ଚସ୍ଥାନର ଅଧିକାରୀ ଏହା ଅସ୍ବୀକାର କରିହେବ ନାହିଁ। ତେଣୁ ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ”ତତ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା/ ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନଃ ତତ୍ତ୍ୱଦର୍ଶିନଃ।“ ଅର୍ଥାତ୍ ହେ ଅର୍ଜୁନ! ତୁମେ ତତ୍ତ୍ୱଦର୍ଶୀଙ୍କ ପାଖକୁ ଯାଇ ତତ୍ତ୍ୱଜ୍ଞାନ ଶିକ୍ଷାକର। ତାଙ୍କୁ ପ୍ରଣିପାତ କଲେ, ସେବା କଲେ ଓ ସରଳତାପୂର୍ବକ ପ୍ରଶ୍ନକଲେ ସେ ତୁମକୁ ତତ୍ତ୍ୱଜ୍ଞାନର ଉପଦେଶ ଦେବେ। ଏହା ହେଉଛି ଭାରତର ସଂସ୍କୃତି। ଭାଷା ହେଉଛି ସଂସ୍କୃତିର ବାହାକ। ଜୈବିକ ଦୃଷ୍ଟିରୁ ପ୍ରକୃତିଦତ୍ତ ଲିଙ୍ଗଭେଦକୁ ଅସ୍ବୀକାର କରି ହେଉନଥିବା ବେଳେ ଲିଙ୍ଗନିରପେକ୍ଷ ଶବ୍ଦ ବ୍ୟବହାର ଆଳରେ ଟିଚର୍ ଶବ୍ଦର ବ୍ୟବହାର ଭାରତୀୟ ସଂସ୍କୃତିରେ ବଢ଼ିଥିବା ଛାତ୍ରୀଛାତ୍ରମାନଙ୍କୁ ଅସ୍ବସ୍ତିକର ବୋଧହେବ ନିଶ୍ଚୟ। ଏଣୁ ଶିକ୍ଷକ-ଛାତ୍ର ସମ୍ପର୍କ ଏହି ସମ୍ବୋଧନ-ଶବ୍ଦ ବ୍ୟବହାରର ଗୋଲକଧନ୍ଦାରେ ଛନ୍ଦି ନ ହେଉ। ଇଂଲଣ୍ଡରେ ଶିକ୍ଷକଙ୍କୁ ମିଷ୍ଟର ଜୋନ୍ସ, ମିସେସ୍ ସ୍ମିଥ୍ ଭଳି ନାମରେ ସମ୍ବୋଧନ କଲାଭଳି ଭଗବଦ୍ ଗୀତାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ମଧୁସୂଦନ, କେଶବ, ଜନାର୍ଦ୍ଦନ ଆଦି ଶବ୍ଦ ବ୍ୟବହାର କରି ସମ୍ବୋଧନ କରିଛନ୍ତି। ମାତ୍ର ଶ୍ରୀକୃଷ୍ଣ ଥିଲେ ଅର୍ଜୁନଙ୍କ ସଖା। ଏଣୁ ନାମରେ ସମ୍ବୋଧନ କରିବା ତାଙ୍କ ପାଇଁ ଅଯୌକ୍ତିକ ନୁହେଁ। ତା’ ସତ୍ତ୍ୱେ ଯେତେବେଳେ ସେ ଶ୍ରୀକୃଷ୍ଣଙ୍କ ପାଖରୁ ଗୀତାଜ୍ଞାନ ଗ୍ରହଣ କରିଛନ୍ତି, ସେତେବେଳେ ସେ ଶିଷ୍ୟଭାବରେ ତାଙ୍କର ଶରଣାପନ୍ନ ହୋଇଛନ୍ତି। (ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍)। ଭାରତୀୟ ପରମ୍ପରାରେ ଏହା ହେଉଛି ଶିଷ୍ୟତ୍ୱର ପରିଭାଷା। ଯଦି ଟିଚର୍ ସମ୍ବୋଧନ କଲେ ଛାତ୍ରୀ/ଛାତ୍ର ମଧ୍ୟରେ ସେହି ବିନମ୍ରତାର ଓ ସମର୍ପଣର ଭାବ ପ୍ରକାଶ ପାଏ, କାହାରି ଆପତ୍ତି ରହିବ ନାହିଁ। ମାତ୍ର ଶବ୍ଦରୁ ମନର ଭାବ ସୃଷ୍ଟି ହୁଏ ନାହିଁ। ମନର ଭାବରୁ ଶବ୍ଦ ପ୍ରକାଶପାଏ। ଭାରତୀୟ ସଂସ୍କୃତିରେ ବଢ଼ିଥିବା ଜଣେ ଛାତ୍ର ପାଟିରୁ ସମ୍ମାନସୂଚକ ଶବ୍ଦ ଭାବରେ ‘ଟିଚର୍’ ଶବ୍ଦ ବାହାରିବ ନାହିଁ। ଏଣୁ ଲିଙ୍ଗ ନିରପେକ୍ଷଣ, ଔପନିବେଶିକ ଭାବଶୂନ୍ୟତା ଆଳରେ ସମ୍ବୋଧନ ଶବ୍ଦର ବ୍ୟବହାର ଉପରେ ଜୋର ଦେବା ଅର୍ଥହୀନ ମନେହୁଏ। ଲିଙ୍ଗ ନିରପେକ୍ଷ ଶବ୍ଦର ବ୍ୟବହାର ସହ ଶିଷ୍ୟତ୍ୱର କୌଣସି ସମ୍ପର୍କ ଥିବା ଭଳି ମନେ ହୁଏନାହିଁ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ:୭୦୦୮୩୬୯୯୨୦