Categories: ଖେଳ

ଅଷ୍ଟ୍ରେଲିଆରୁ ଫେରି ବାପାଙ୍କ ସମାଧିସ୍ଥଳକୁ ଗଲେ ଏହି ଭାରତୀୟ କ୍ରିକେଟର, କୋରାନ ପଢ଼ି ଦେଲେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ସ୍ବଦେଶ ଫେରିଛି ଟିମ୍‌ ଇଣ୍ଡିଆ। ଏହି ସିରିଜ୍‌ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ ପେସ୍‌ ବୋଲର୍‌ ମହମ୍ମଦ ସିରାଜ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ଖେରାତାବାଦରେ ଥିବା ଶ୍ମଶାନକୁ ଯାଇଥିଲେ। ଉକ୍ତ ଶ୍ମଶାନରେ ସିରାଜଙ୍କ ବାପାଙ୍କୁ ସମାଧି ଦିଆଯାଇଥିଲା। ମ୍ୟାଚ୍‌ ଯୋଗୁ ସିରାଜ ବାପାଙ୍କ ଶେଷଦର୍ଶନ କରିପାରି ନ ଥିବା ବେଳେ ଶେଷକୃତ୍ୟରେ ଯୋଗ ଦେଇନ ଥିଲେ। ଏଥିଯୋଗୁ ସେ ସମାଧି ନିକଟରେ ବେଶ୍‌ ଭାବବିହ୍ବଳ ହୋଇପଡ଼ିଥିଲେ। କୋରାନ ପଢ଼ି ବାପାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସିରାଜଙ୍କ ବାପା ଜଣେ ଅଟୋ ଡ୍ରାଇଭର ଥିଲେ। ନଭେମ୍ବର ୨୦ରେ ଫୁସ୍‌ଫୁସ ସଂକ୍ରମଣ ଯୋଗୁ ତାଙ୍କର ଦେହାନ୍ତ ହୋଇଥିଲା। ଏହାର ଠିକ୍‌ ସପ୍ତାହକ ପୂର୍ବରୁ ସିରାଜ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ପରେ ପିତାଙ୍କ ପରଲୋକ ଖବର ପାଇବା ପରେ ସେ ଭାଙ୍ଗି ପଡ଼ିଥିଲେ। ହେଲେ କରୋନା ପ୍ରୋଟୋକୋଲ ଯୋଗୁ ସେ ସ୍ବଦେଶ ଫେରିପାରି ନ ଥିଲେ।