୧୦୦ କୋଟିର ମାନହାନି ମାମଲା ଦାଏର କରିବାକୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଚେତାବନୀ

ନୂଆଦିଲ୍ଲୀ,୩୦।୧୧: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର କରିବାକୁ ଚେତାବନୀ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ କରୋନା ପ୍ରତିଷେଧକ ଟିକା ଦିଆ ଯାଇଥିବା ଜଣେ ବ୍ୟକ୍ତି ତାଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଅଭିଯୋଗ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ କୋଭିଶିଲ୍ଡ ଟିକା ପ୍ରୟୋଗ କରାଯାଇଥିଲା। ସେ ଟିକା ନେବା ପରେ ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ କରିଥିଲେ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି ଯେ, ଏହା ସମ୍ପୂର୍ଣ୍ଣ ମିଥ୍ୟା। ସମ୍ପୃକ୍ତ ବ୍ୟକ୍ତିିଙ୍କ ପରିବାର ପକ୍ଷରୁ ଜାରି କରାଯାଇଥିବା ଆଇନଗତ ନୋଟିସ୍‌ ଦ୍ୱାରା ଇନଷ୍ଟିଚ୍ୟୁଟ୍‌ର ଭାବମୂର୍ତ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା ପ୍ରମାଣିତ ନହେଲେ ମାନହାନି ମାମଲା ଦାଏର କରାଯିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅକ୍ଟୋବର ୧ରେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଚେନ୍ନାଇଠାରେ କୋଭିଶିଲ୍ଡ ଦିଆଯାଇଥିଲା। ଟିକା ନେବା ପରେ ତାଙ୍କର ମସ୍ତିଷ୍କ ବିକୃତି ଘଟିବାରୁ ସେ ନିଜ ପିଲା ଏବଂ ସ୍ତ୍ରୀଙ୍କୁ ଚିହ୍ନି ପାରି ନ ଥିଲେ। ପରେ ସେ ସ୍ବାଭାବିକ ହୋଇଥିଲେ।

Share