ନୂଆଦିଲ୍ଲୀ,୧୬ା୮: ଆମ୍ ଆଦ୍ମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଜି ଅର୍ଥାତ୍ ଶୁକ୍ରବାର ହେଉଛି ଜନ୍ମଦିନ। ତିହାର ଜେଲରେ ଥିବା କେଜ୍ରିଓ୍ବାଲ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଏଏପି ନେତା ମନୀଷ ସିସୋଡିଆ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ କେଜ୍ରିଓ୍ବାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଜି ଦେଶର ଗଣତନ୍ତ୍ର କେଜ୍ରିଓ୍ବାଲଙ୍କ ରୂପରେ ବନ୍ଦୀ ହୋଇଛି।
କେଜ୍ରିଓ୍ବାଲ ଗତ ବର୍ଷ ତାଙ୍କ ଜନ୍ମଦିନରେ ତାଙ୍କର ପୁରୁଣା ବନ୍ଧୁ ମନୀଷ ସିସୋଡିଆଙ୍କୁ ମନେ ପକାଇଥିଲେ। ସେ ଟୁଇଟ୍ କରି କହିଥିଲେ, ‘ସେ ମନୀଷ ସିସୋଡିଆଙ୍କୁ ହରାଉଛନ୍ତି। ଆସନ୍ତୁ ଆଜି ସମସ୍ତେ ଏକ ପ୍ରତିଶ୍ରୁତି ଦେବା ଯେ, ଭାରତରେ ଜନ୍ମିତ ପ୍ରତ୍ୟେକ ଶିଶୁଙ୍କୁ ସର୍ବୋତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରିବୁ।’
ସେ କହିଥିଲେ,‘ଏହା ଏକ ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇବ। ଏହା ଭାରତକୁ ଏକ ନମ୍ବର କରିବାର ସ୍ବପ୍ନକୁ ପୂରଣ କରିବ। ଏହା ମଧ୍ୟ ମନୀଷ ସିସୋଡିଆଙ୍କୁ ଖୁସି କରିବ।’ ଚଳିତ ବର୍ଷ କେଜ୍ରିଓ୍ବାଲ ଜେଲ୍ରେ ଥିବାବେଳେ ସିସୋଡିଆ ଜେଲ ବାହାରେ ଅଛନ୍ତି।
ସୂଚନାଯୋଗ୍ୟ, ୧୬ ଅଗଷ୍ଟ ୧୯୬୮ରେ ହରିୟାଣାର ଭବାନୀ ଜିଲାରେ ଜନ୍ମ ହୋଇଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଜି ୫୬ ବର୍ଷ ବୟସ ହୋଇଛି। ସ୍କୁଲ ପରେ ପ୍ରଥମ ପ୍ରୟାସରେ କେଜ୍ରିଓ୍ବାଲ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୧୯୮୯ରେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟର ଭାବରେ ସ୍ନାତକ ହାସଲ କରିଥିଲେ।