ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ରିମାଣ୍ଡକୁ ଆହୁରି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଇଡି ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଅନ୍ୟପଟେ, ସିସୋଡିଆ ତାଙ୍କ ଫୋନ ବାରମ୍ବାର ବଦଳାଇବା ସହ ବ୍ୟବହାର କରୁଥିବା ମୋବାଇଲ ଫୋନରୁ ତଥ୍ୟ ଗାଏବ କରିଛନ୍ତି। ଯେଉଁଥିରେ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସମ୍ପର୍କରେ ସୂଚନା ରହିଥିବା ଇଡି ଅଭିଯୋଗ କରିଛି।
ଶୁକ୍ରବାର ଏଏପି ନେତା ମନୀଷ ସିସୋଡିଆଙ୍କୁ ରୌଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ରିମାଣ୍ଡରେ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ ମନୀଷ ସିସୋଡିଆଙ୍କ ରିମାଣ୍ଡ ବୃଦ୍ଧି କରିବାକୁ ଇଡି ଆବେଦନ କରିଥିଲା। ତେବେ କୋର୍ଟ ଆବେଦନକୁ ଗ୍ରହଣ କରି ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସେ ବର୍ତ୍ତମାନ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ।