ବିଦ୍ୟୁତ୍‌ କରେଣ୍ଟ ଲାଗି ଚାଲିଗଲା ଭଉଣୀ ଭାଇଙ୍କ ଜୀବନ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.):୧୨।୫: ବିଦ୍ୟୁତ୍‌ କରେଣ୍ଟ ଲାଗି ଶୁକ୍ରବାର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ନିତୁ ମାରାଣ୍ଡି(୩୨) ଏବଂ ସମ୍ପର୍କୀୟ ଭାଇ ରେଲଓ୍ବେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ ଶ୍ୟାମସୁନ୍ଦର ମାରାଣ୍ଡି। ପ୍ରଧାନ ଶିକ୍ଷୟିତ୍ରୀ ନିତୁ ରାଇଘାଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର କେନ୍ଦୁଝର ଜିଲା ଟାଙ୍ଗିରିଆପାଳ ଥାନା ଦୈତାରି ଗ୍ରାମରେ। ଶ୍ୟାମସୁନ୍ଦରଙ୍କ ଘର ଚକ୍ରଧରପୁର ଗ୍ରାମରେ।
ମିଳିଥିବା ସୂଚନା ମୁତାବକ, ପ୍ରଧାନ ଶିକ୍ଷୟିତ୍ରୀ ନିତୁ ରାଇଘାଟିରେ ଘରଭଡ଼ା ନେଇ ରହୁଥିଲେ। ଶୁକ୍ରବାର ସେ କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଏହା ଦେଖି ସମ୍ପର୍କୀୟ ଭାଇ ଶ୍ୟାମସୁନ୍ଦର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେତିକିବେଳେ ସେ ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Share