Categories: ଜାତୀୟ

ଭାଇଙ୍କ ମୃତ୍ୟୁ ପରେ ଭଉଣୀଙ୍କୁ ମିଳି ପାରିବନି ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ…

ବେଙ୍ଗାଲୁରୁ,୧୪।୯ : କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ଚାକିରି ପାଇଁ ଭଉଣୀଙ୍କର ଆବେଦନକୁ ଖାରଜ କରି କହିଛନ୍ତି ଭଉଣୀ ତାଙ୍କ ଭାଇଙ୍କ ପରିବାର ପରିଭାଷାରେ ଅନ୍ତର୍ଭୁକ୍ତ ନୁହନ୍ତି। ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭରାଲେ ଏବଂ ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତଙ୍କ ଏକ ବେଞ୍ଚ ତୁମକୁରୁ ନିବାସୀ ୨୯ ବର୍ଷ ବୟସ୍କା ପଲ୍ଲବୀ ଜିଏମଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏଭଳି କହିଛନ୍ତି।

କୋର୍ଟ କହିଛନ୍ତି, ବ୍ୟାଖ୍ୟା ପ୍ରକ୍ରିୟା ମାଧ୍ୟମରେ କୋର୍ଟ ଏକ ବିଧିଗତ ସଂଜ୍ଞାର ପରିସର ବିସ୍ତାର କରିପାରିବେ ନାହିଁ। ଯେତେବେଳେ ନିୟମ ନିର୍ମାତା ଜଣେ କର୍ମଚାରୀଙ୍କ ପରିବାର ସଦସ୍ୟ ଭାବରେ ବ୍ୟକ୍ତିମାନଙ୍କୁ ନିର୍ଦ୍ଦିଷ୍ଟ କରନ୍ତି, ଆମେ ପରିବାରର ସଂଜ୍ଞାରେ ଜଣଙ୍କୁ ଯୋଡିପାରିବା ନାହିଁ କିମ୍ବା କାଢ଼଼ି ପାରିବା ନାହିଁ। ଅପରପକ୍ଷେ ଯେକୌଣସି ଯୁକ୍ତି, ଯଦି ଗ୍ରହଣ କରାଯାଏ, ତେବେ ଏହା ନିୟମକୁ ପୁନର୍ବାର ଲେଖିବା ପରି ହେବ, ଏବଂ ତେଣୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ।

ଆବେଦନକାରୀ ଏକକ ବିଚାରପତି ବେଞ୍ଚର ୩୦ ମାର୍ଚ୍ଚ ୨୦୨୩ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏକକ ବେଞ୍ଚ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ତାଙ୍କ ଆବେଦନକୁ ଖାରଜ କରିଥିଲେ। ରାଜ୍ୟ ବିଦ୍ୟୁତ ପରିବହନ କମ୍ପାନୀ ବିଇଏସସିଓଏମରେ କାମ କରୁଥିବା ତାଙ୍କ ଭାଇଙ୍କ କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଥିଲା।

ତାଙ୍କ ଓକିଲ ଯୁକ୍ତି କରଥିଲେ ସେ ତାଙ୍କ ଭାଇଙ୍କ ଉପରେ ନିର୍ଭରଶୀଳ। ତେଣୁ ତାଙ୍କ ପରିବାରର ଜଣେ ସଦସ୍ୟ ଅନୁକମ୍ପା ମୂଳକ ନିଯୁକ୍ତି ପାଇବାକୁ ଯୋଗ୍ୟ ଅଟନ୍ତି। ସମ୍ପୃକ୍ତ କମ୍ପାନୀ କିନ୍ତୁ ମହିଳାଙ୍କ ଦାବିକୁ ବିରୋଧ କରିଥିଲା।

Share