Categories: ଜାତୀୟ

ଟଙ୍କା ପାଇଁ ମା’ଙ୍କୁ ଘରୁ ତଡ଼ି ଦେଇଥିଲେ ସିଦ୍ଧୁ, ଷ୍ଟେଶନରେ ଯାଇଥିଲା ଜୀବନ: ଭଉଣୀ

ଚଣ୍ଡିଗଡ଼,୨୮।୧: କ୍ରିକେଟରୁ ରାଜନେତା ପାଲଟିଥିବା ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ତାଙ୍କ ବଡ଼ ଭଉଣୀ ସୁମନ ତୁର ଶୁକ୍ରବାର ଖବରଦାତା ସମ୍ମିଳନୀ କରି ସିଦ୍ଧୁଙ୍କୁ ନେଇ ବିଷ ଓଗାଳିଛନ୍ତି। ସିଦ୍ଧୁ ଜଣେ ନିର୍ଦ୍ଦୟ ବ୍ୟକ୍ତି। ସେ ଟଙ୍କା ପାଇଁ ତାଙ୍କ ମା’ଙ୍କୁ ଘରୁ ତଡ଼ି ଦେଇଥିବା ସୁମନ ଅଭିଯୋଗ କରିଛନ୍ତି।

ଆମେରିକାରେ ରହୁଥିବା ସୁମନ ନିକଟରେ ଚଣ୍ଡିଗଡ଼ ଆସିଛନ୍ତି। ସେ ସିଦ୍ଧୁଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ମା’ଙ୍କୁ ନ୍ୟାୟ ଦେବା ଲାଗି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ଭାବବିହ୍ବଳ ହୋଇ ସେ କହିଛନ୍ତି, ୧୯୮୬ରେ ସିଦ୍ଧୁ ତାଙ୍କୁ ଏବଂ ବୁଢ଼ି ମା’ଙ୍କୁ ଘରୁ ତଡ଼ି ଦେଇଥିଲେ। ବାପାଙ୍କ ମୃତ୍ୟୁ ପରେ ଏପରି ହୋଇଥିଲା। ପରେ ୧୯୮୯ରେ ରେଳ ଷ୍ଟେଶନରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବହୁତ କଠିନ ସମୟ ଦେଇ ଗତି କରିଛନ୍ତି। ମା’ ୪ ମାସ କାଳ ହସ୍ପିଟାଲରେ ଥିଲେ। ଯାହା ପି ସେ ଦାବି କରୁଛନ୍ତି ତାର ପ୍ରମାଣ ତାଙ୍କ ପାଖରେ ରହିଥିବା ସୁମନ କହିଛନ୍ତି।

ଏହାଛଡ଼ା ସୁମନ ସିଦ୍ଧୁଙ୍କ ଅନ୍ୟ ଏକ ଦାବିକୁ ମିଥ୍ୟା ବୋଲି ଅବିହିତ କରିଛନ୍ତି। ୧୯୮୭ରେ ସିଦ୍ଧୁ ମା’-ବାପା ଅଲଗା ହୋଇ ଯାଇଥିବା ନେଇ କହିଥିଲେ। ହେଲେ ଏହା ସମ୍ପୂର୍ଣ୍ଣ ମିଛ ଥିଲା। ମା’ବାପାଙ୍କ ବିଷୟରେ ସିଦ୍ଧୁ ଯାହାବି ଦାବି କରିଛନ୍ତି ତାହା ମିଛ। ମା’ବାପା ଆଇନଗତ ଉପାୟରେ ଅଲଗା ହୋଇଯାଇଥିବା ନେଇ ସିଦ୍ଧୁ କରିଥିବା ଦାବି ବିରୋଧରେ ମା’ କୋର୍ଟଙ୍କ ଦାରସ୍ଥ ହୋଇଥିଲେ। ସେଠାରେ ପଚରାଯିବାରେ ସିଦ୍ଧୁ ତାହା କହି ନ ଥିବା ସଫେଇ ଦେଇଥିଲେ।

ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି। ଜାନୁୟାରୀ ୨୦ରେ ତାଙ୍କୁ ଦେଖା କରିବାକୁ ଚାହିଁଥିଲି। ହେଲେ ସେ ତାଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ। ସେ ଫୋନ୍‌ ନମ୍ବରକୁ ବ୍ଲକ କରିଛନ୍ତି। ତାଙ୍କ ସହ ଯୋଗାଯୋଗ କରିବାକୁ ଏଭଳି ସାମ୍ବାଦିକ ସମ୍ମିଳନୀ କରିଥିବା ସୁମନ କହିଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ସିଦ୍ଧୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share