ଭାଇ ହତ୍ୟାକାରୀଙ୍କ ଗିରଫ ଦାବି କରି ମା-ବାପାଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଲେ ଭଉଣୀ

ସାଲେପୁର,୨୫ା୯(ଅରବିନ୍ଦ ଭୂୟାଁ): ମୃତ ଭାଇଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ବିଧାନ ଦାବି କରି କଟକ ଜିଲା ସାଲେପୁର ଥାନା ସମ୍ମୁଖରେ ମା’-ବାପାଙ୍କ ସହ ଭଉଣୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି। ଘଟଣାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ପରିବାର ଲୋକେ।
ଘଟଣା ଅନୁଯାୟୀ, କିଶନନଗର ଅଞ୍ଚଳର ମୁଗୁରିଆ ଗ୍ରାମର ବିଶ୍ୱଜିତ୍‌ ମହାନ୍ତି ନାମକ ଯୁବକ ସାଲେପୁରର ଏକ ଆଇଟିସି ନାମକ ଘରୋଇ ବ୍ୟବସାୟିକ ସଂସ୍ଥାରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ଗତ ୧୧ ତାରିଖରୁ ନିଖୋଜ ଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ କ୍ଷତବିକ୍ଷତ ମୃତଦେହ ନିଶ୍ଚିନ୍ତକୋଇଲିର ୮ ନମ୍ବର କେନାଲରୁ ମିଳିଥିଲା। ୧୩ ଦିନ ବିତିଯାଇଥିଲେ ବି ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ ଓ ଗ୍ରାମବାସୀ। ଯେତେଦିନ ପର୍ଯ୍ୟନ୍ତ ପରିବାରକୁ ନ୍ୟାୟ ନ ମିଳିଛି ସେତେଦିନ ପର୍ଯ୍ୟନ୍ତ ଏଭଳି ଧାରଣା ଚାଲିବ ବୋଲି ପରିବାର ଲୋକ କହିଛନ୍ତି।