ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ କରିଛନ୍ତି ହତ୍ୟା

ହିଞ୍ଜିଳିକାଟୁ,୨୬।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଜଣେ ମହିଳାଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ପବିତ୍ର ସାହୁଙ୍କ ସ୍ତ୍ରୀ ସୁନିତା ସାହୁ(୨୮)। ସୁନିତା ବିଷ ଖାଇ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ କହୁଛନ୍ତି। ହେଲେ ସୁନିତାଙ୍କ ଭାଇ କଟକ ଜିଲା ବାରଙ୍ଗ ଅଞ୍ଚଳର ଲୋକନାଥ ସାହୁ ଭଉଣୀଙ୍କୁ ଶାଶୁ ଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏପରିକି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ରବିବାର ହିଞ୍ଜିଳି ଥାନାରେ ଭାଇ ଲୋକନାଥ ଏକ ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟ, ଶୁକ୍ରବାର ଗୁରୁତର ଅବସ୍ଥାରେ ସୁନିତାଙ୍କୁ ଶାଶୁ ଘର ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା (ନଂ.୩୫/୨୩) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।