ଭିକ ମାଗୁଛନ୍ତି ଭଉଣୀ,ଭାଇ

ହାଟଡ଼ିହୀ,୩୦।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ସୋସୋ ଥାନା ଅଧୀନ ଢେଙ୍କା ଅଞ୍ଚଳରେ ସାବତ ମା’ଙ୍କ ନିର୍ଯାତନା ଶିକାର ହୋଇ ୨ ନିଷ୍କାପ ଭଉଣୀ ଭାଇ ଭିଗ ମାଗୁଥିବା ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି। ଶିଶୁଙ୍କ ଯନ୍ତ୍ର ଓ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ ହେଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏଠାରେ ଜୀବନକୁ ଭଲ ଭାବେ ବୁଝି ନ ଥିବା ଭଉଣୀ, ଭାଇ ଭୋକର ଜ୍ୱାଳାକୁ ସହି ନ ପାରି ଘର ଘର ବୁଲି ଖାଦ୍ୟ ମାଗିବା ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ହାତରେ ଗୋଟେ ଜରି ବ୍ୟାଗ ଧରି ୭ ବର୍ଷର ଭଉଣୀକୁ ସାଥିରେ ଧରି ୧୦ ବର୍ଷର ଭାଇ ଘର ଘର ବୁଲି ଭିକ ମାଗୁଥିଲେ। ଉଭୟ ଢେଙ୍କା ଗ୍ରାମର ଅର୍ଜୁନ ମାଝୀଙ୍କ ଘରକୁ ଯାଇ ଖାଇବାକୁ ମାଗିଥିଲେ। ଅର୍ଜୁନ ଦୁଇ ଭଉଣୀ ଭାଇଙ୍କୁ ଖାଇବାକୁ ଦେଇ ଭିକ ମାଗିବାର କାରଣ ଓ ଠିକଣା ପଚାରିଥିଲେ। ବାଳକ ଜଣକ ନିଜ ନାମ କହିବା ସହ ଘର ଶଢ଼ା ଅଞ୍ଚଳରେ ବୋଲି କହିଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସାବତ ମା’ ଖାଇବାକୁ ଦେଉନାହାନ୍ତି। ଦୁହେଁ ନିଜେ ରୋଷେଇ କରି ଖାଉଛନ୍ତି। ବାପାଙ୍କ ନାମ ପଚରା ଯିବାରୁ ଚୁପ୍‌ ରହିଥିଲେ। ପରେ ଅନ୍ୟତ୍ର ପଳାଇଥିଲେ। ଭୟ ଦେଖାଇ କୋମଳମତି ବୟସରେ ଭଉଣୀ, ଭାଇଙ୍କୁ ଭିକ ମଗାଯାଉଥିବା ଆଲୋଚନା ହେଉଛି। ଘଟଣା ବିଷୟରେ ଶୁଣିବା ପରେ ଭାଜପା ନେତା ଆଲୋକ ସେଠୀ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ, ବୈଲୋଚନ ନାୟକ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ପ୍ରଶାସନ ଏ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବା ଜରୁରୀ ବୋଲି ମତ ପୋଷଣ କରିଛନ୍ତି। ଏ ବାବଦରେ ସୋସୋ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଥାନା ଅଧିକାରୀ ବିଜୟ ବିହାରୀ କହିଛନ୍ତି।

Share