Categories: ଖେଳ

ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଏସ୍‌ଆଇଟିର ଯାଞ୍ଚ୍‌

ନୂଆଦିଲ୍ଲୀ,୨।୯(ପି.ଟି.): ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ପରେ ଏବେ ସାରା ଦେଶରେ ଚର୍ଚ୍ଚା ହୋଇଛି। ଏହି ହତ୍ୟା ମମଲାର ତଦନ୍ତ ପାଇଁ ପଞ୍ଜାବ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପଞ୍ଜାବରେ କିଛିଦିନ ତଳେ ରାଇାନଙ୍କ ଦାଦା ଓ ଖୁଡୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଇନାଙ୍କ ଦାଦା ଓ ତାଙ୍କ ସମ୍ପର୍କୀୟ ଭାଇ ପ୍ରାଣ ହରାଇଥିଲେ। ପରିବାରର ଏକାଧିକ ସଦସ୍ୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ପଞ୍ଜାବରେ ମୋ ପରିବାର ସହ ଯାହା ଘଟିଲା ତାହା ନିହାତି ଭୟଙ୍କର। ମୋ ଦାଦାଙ୍କୁ ତଣ୍ଟି କାଟି ନିର୍ମମଭାବେ ହତ୍ୟା କାରଯାଇଛି। ମୋ ପିଉସୀ ଓ ଭାଇ ମଧ୍ୟ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଭାଇ ମଧ୍ୟ ଗତ ରାତିରେ ମୃତ୍ୟୁବରଣ କରିଥିବା ରାଇନା କହିଛନ୍ତି। ପଞ୍ଜାବର ପଠାନକୋଟ ଜିଲାର ଥାରିଆଲ ଗାଁରେ ରହୁଥିବା ରାଇନାଙ୍କ ପରିବାର ଉପରେ ଅଗଷ୍ଟ ୧୯ ଓ ୨୦ ତାରିଖରେ ଆକ୍ରମଣ ହୋଇଥିଲା। କ’ଣ ପାଇଁ ଦୁର୍ବୃତ୍ତମାନେ ଆକ୍ରମଣ କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତଦନ୍ତ ପାଇଁ ପଞ୍ଜାବ ପୋଲିସକୁ ଅନୁରୋଧ କରିଛି। କେଉଁମାନେ ଓ କେଉଁ କାରଣ ପାଇଁ ଏହି ଘଟଣା ଘଟାଇଛନ୍ତି ତାହା ଜାଣିବା ଦରକାର। ଅପରାଧୀମାନଙ୍କୁ ଖସିଯିବାକୁ ଦିଆଯିବ ନାହିଁ ବୋଲି ରାଇନା କହିଛନ୍ତି।
ଅନପଟେ ଏହି ଘଟଣାରେ ପଞ୍ଜାବ ପୋଲିସ ଆକ୍ସନ ନେବା ଆରମ୍ଭ କରିଛି। ସ୍ପେଶାଲ ଇନ୍‌ଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) ଏହି ଘଟଣାରେ ଯାଞ୍ଚ୍‌ କରୁଛି ବୋଲି ପୋଲିସ୍‌ ତରଫରୁ ସୂଚନା ଦିଆଯାଇଛି। ପୋଲିସ ଏକାଧିକ ସ୍ଥାନରେ ଚଢାଉ କରିଛି ବୋଲି ପଠାନକୋଟ ଏସ୍‌ପି ପ୍ରଭଜୋଜ୍‌ ସିଂ କହିଛନ୍ତି। ପୂର୍ବରୁ ରାଇନା ଟୁଇଟ୍‌ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ଓ ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।
ଅଗଷ୍ଟ ୧୫ ତାରିଖରେ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ମଧ୍ୟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆସନ୍ତ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବାର ନିଷ୍ପତ୍ତି ନେଇଛନ୍ତି। ଏହାର କାରଣ ନେଇ ବିଭିନ୍ନ ଆକଳନ କରାଯାଉଛି ତେବେ ଏ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ। ଉଲ୍ଲେଖଥାଉ କି, ରାଇନା ଭାରତ ତରଫରୁ ପ୍ରତିନିଧିତ୍ୱ କରି ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share