ଭଙ୍ଗା ଛାତରେ ସଡ଼କରେ ବସ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୭।୭ : ଚରମ ଅବହେଳାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଡ଼ିଓଟି ମହାରାଷ୍ଟ୍ରର ବୋଲି କୁହାଯାଉଛି। ଭିଡ଼ିଓରେ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ଛାତ ଭଙ୍ଗାଥିବା ଏକ ବସ ରାସ୍ତାରେ ଯାଉଥିବାର ଦେଖିବାକୁ ମିଳୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରି ଜଣେ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ଏମଏସଆରଟିସି ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶେଖର ଚନେ କହିଛନ୍ତି ଏହି ବସ ଗାଡଚିରୋଲି ଜିଲାର ଆହେରୀ ଡିପୋରୁ ଆସିଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ବସର ଖରାପ ରକ୍ଷଣାବେକ୍ଷଣ ପାଇଁ ଗାଡଚିରୋଲିରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଅଧିକାରୀ କହିଛନ୍ତି ଯେଉଁ ବସ ଭିଡିଓ ଭାଇରାଲ ହେଉଛି ତାହା ଗାଡଚିରୋଲି-ଆହେରୀ ମାର୍ଗରେ ଯାଉଥିଲା। ବସର ସମ୍ପୂର୍ଣ୍ଣ ଛାତ ବାହାରକୁ ଆସି ନାହିଁ, କିନ୍ତୁ ଡ୍ରାଇଭର ରାଜପଥରେ ଯାଉଥିବାବେଳେ ଡ୍ରାଇଭର କ୍ୟାବିନ ଉପରେ ଥିବା ବାହ୍ୟ ଫାଇବର ଅଂଶ ଭାଙ୍ଗି ପବନରେ ଦୋହଲୁଥିଲା।

Share