ଏସ୍‌ଆଇଟିର ଖୋଳତାଡ଼: ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତିର ଗୁମର ଖୋଲିବ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ। ଏଥିସହ ଟାଟା ମୋଟର୍ସରେ ଚାକିରି ଦେବା ଆଳରେ ଜାଲ୍‌ କାଗଜପତ୍ର ବଳରେ ଠକେଇ ମାମଲାରେ ଅଭୟଙ୍କ ପୁଅ ଆକାଶ ମଧ୍ୟ ଗିରଫ ହୋଇ ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତେବେ ଯାଞ୍ଚବେଳେ ବହୁ କୋଟିର ବେଆଇନ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏଥିସହ ଅଭୟକାନ୍ତ ତାଙ୍କ ଡ୍ରାଇଭର, ସମ୍ପର୍କୀୟ ଓ ଅନ୍ୟମାନଙ୍କ ନାମରେ ମଧ୍ୟ ବେଆଇନ ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି। ତେଣୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ୨୦ ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଶନିବାର ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ନେଇ ବ୍ଲ୍ୟୁପ୍ରିଣ୍ଟ୍‌ ପ୍ରସ୍ତୁତ ହେବା ସହ ଖୋଳତାଡ଼ ଆରମ୍ଭ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ସବୁ ଦିଗକୁ ନେଇ କିପରି ତଦନ୍ତ କରାଯିବ ସେନେଇ ଆଲୋଚନା ହୋଇଛି।

ଏଣିକି ଆଇଏଫ୍‌ଏସ୍‌ ଅଫିସର ଓ ତାଙ୍କ ପରିବାର ଖର୍ଚ୍ଚ କରୁଥିବା କୋଟି କୋଟି ଟଙ୍କା କେଉଁଠୁ ଆସୁଥିଲା ତାହାର ଗୁମର ଖୋଲିବ। ସମସ୍ତ ବେଆଇନ ସମ୍ପତ୍ତି ଓ କାରବାରକୁ ଧରିବା ପାଇଁ ଏସ୍‌ଆଇଟି ଟିମ୍‌ ଅଭୟକାନ୍ତଙ୍କ ସମ୍ପର୍କୀୟ, ସହଯୋଗୀ, ବନ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ। ସେମାନଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିବ। ଏହାସହ ଯେଉଁ ସଂସ୍ଥାଗୁଡିକରୁ ଦାମୀ ଗାଡ଼ି କ୍ରୟ କରାଯାଇଛି, ତାହାର ମଧ୍ୟ ଯାଞ୍ଚ ହେବ। ଏତଦ୍‌ ବ୍ୟତୀତ ପାଠକ କରିଥିବା ବିଭିନ୍ନ ଜମାରାଶିର ମଧ୍ୟ ଅନୁସନ୍ଧାନ ହେବ। ଗିରଫ ପୂର୍ବରୁ ଜବତ ହୋଇଥିବା ରେକର୍ଡ ଓ ଦଲିଲକୁ ଏସ୍‌ଆଇଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ। ତେବେ ତଦନ୍ତରେ ସହାୟତା ପାଇଁ ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରିକୁ ସାମିଲ କରାଯାଇଛି ବୋଲି ସୂଚନା ମିଳିଛି।

Share