ପ୍ରେମିକଙ୍କ ଘର ଆଗରେ ଧାରଣା

ଦେବଗଡ଼,୭।୯(ଡି.ଏନ.ଏ): ବୋହୂର ମାନ୍ୟତା ଦାବିରେ ଜଣେ ଯୁବତୀ ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମ ସ୍ଥିତ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଯୁବତୀ ଜଣକ ସୋମବାରଠାରୁ ସେଠାରେ ଧାରଣା ଦେଇଥିଲେ ମଧ୍ୟ ତାଙ୍କୁ ବୋହୂ ମାନ୍ୟତା ଦେବା ବଦଳରେ ପ୍ରେମିକ ଜଣକ ଘର ଛାଡି ଫେରାର ହୋଇଯାଇଛନ୍ତି। ସେହିପରି ବୋହୂର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଧାରଣାରତା ଯୁବତୀ ଜିଦ୍‌ ଧରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ଦେବଗଡ଼ ଜିଲା ବାବରାକୋଟ ଗ୍ରାମର ସଞ୍ଜୟ ସାହୁ ଓ ସମ୍ବଲପୁର ଜିଲା ନାକଟିଦେଉଳ ଥାନା ହିତସରା ଗ୍ରାମର ଅଲି ସାହୁ (୩୭)ଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ୨୦୧୯ରେ ସଞ୍ଜୟ ହିତସରା ଗ୍ରାମ ସ୍ଥିତ ଅଲିଙ୍କ ଘରକୁ ଯାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଧରାପଡି ବଳାତ୍କାର ଅଭିଯୋଗରେ ରେଢାଖୋଲ ଜେଲ୍‌ ଯାଇଥିଲେ। ପରେ ସଞ୍ଜୟ ଅଲି ଏବଂ ତାଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଅଲିଙ୍କ ପରିବାର ଲୋକେ କୋହଳ ମନୋଭାବ ପୋଷଣ କରିବାରୁ ସଞ୍ଜୟ ଜେଲରୁ ମୁକୁଳିଥିଲେ। ଏହାପରେ ସଞ୍ଜୟ ଅଲିଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ସହ କୁଆଡେ ଘର ନିର୍ମାଣ ଏବଂ ଦୋକାନର ଉନ୍ନତୀକରଣ ପାଇଁ ଟଙ୍କା ମାଗିବାରୁ ଅଲି ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଥିଲେ। ଏହି ଟଙ୍କା ସେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସଞ୍ଜୟଙ୍କୁ ପ୍ରଦାନ କରିଥିବା ଅଲି ପ୍ରକାଶ କରିଛନ୍ତି। ଘର ନିର୍ମାଣ ଓ ଦୋକାନର ଉନ୍ନତୀକରଣ ପରେ ସଞ୍ଜୟ ତାଙ୍କୁ ବିବାହ କରିବା ପରିବର୍ତ୍ତେ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଅଲି ସଞ୍ଜୟଙ୍କୁ ସାକ୍ଷାତ କରି ବିବାହ ପାଇଁ ଜିଦ୍‌ ଧରିବାରୁ ସଞ୍ଜୟ ନାନା ଆଳ ଦେଖାଇ ବିବାହ ପାଇଁ ମନା କରିଦେଇଥିଲେ। ଫଳରେ ସୋମବାର ଅପରାହ୍ନରେ ଅଲି ସମ୍ପର୍କୀୟା ମାନଙ୍କ ସହ ବାବରାକୋଟ ଗ୍ରାମକୁ ଆସି ସଞ୍ଜୟ ଏବଂ ତାଙ୍କ ମା’ଙ୍କ ସହ ଆଲୋଚନା କରି ତାଙ୍କୁ ବୋହୂ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଏଥିରେ ରାଜି ନ ହେବାରୁ ଅଲି ସଞ୍ଜୟଙ୍କ ଦ୍ୱାର ମୁହଁରେ ଧାରଣା ଦେଇଥିଲେ। ଏ ନେଇ ସୂଚନା ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଲିଙ୍କୁ ବୁଝାଶୁଝା କରିଥିଲେ। ତେବେ ସଞ୍ଜୟ ତାଙ୍କୁ ସ୍ତ୍ରୀର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିବେ ବୋଲି କହିଛନ୍ତି। ଏହି ଘଟଣା ଦେବଗଡ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Share