‘ଯାଯାବର’ଙ୍କ ପାଇଁ ସ୍ଥିତି ଜଟିଳ

ଢେଙ୍କାନାଳ ଅଫିସ, ୧୦।୨: ଓଡ଼ିଶାର ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ। ଏଠାରେ ହାତୀ-ମଣିଷ ସଂଘର୍ଷ ମଧ୍ୟ କିଛି କମ୍‌ ନୁହେଁ। ଗଜ ଉପଦ୍ରବ ରୋକିବା ଲାଗି ଅଧ ଡଜନରୁ ଊର୍ଦ୍ଧ୍ୱ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଭଳି ସ୍ଥିତିରେ ଏବେ ପଡ଼ୋଶୀ ଜିଲାର ‘ଯାଯାବର’ ହାତୀଙ୍କ ପାଇଁ ଚିନ୍ତା ବଢ଼ିଛି।
ଢେଙ୍କାନାଳ ଜିଲାରେ ଏବେ ୩୦୦ ହାତୀ ଅଛନ୍ତି। ତନ୍ମଧ୍ୟରୁ ସୀମାନ୍ତ କଟକ ଜିଲାର ଆଠଗଡ଼ ବନଖଣ୍ଡ, ଯାଜପୁର, କେନ୍ଦୁଝର, ଅନୁଗୋଳ ଏବଂ ଖୋର୍ଦ୍ଧାର ଚନ୍ଦକାରୁ ଆସିଥିବା ହାତୀସଂଖ୍ୟା ୧୫୦। ଏବେ ଧାନ ଅମଳ ସରିଯାଇଥିବାରୁ ପ୍ରବାସୀ ହାତୀପଲ ଖାଦ୍ୟ ଅନ୍ବେଷଣରେ ଅତ୍ୟଧିକ ହିଂସ୍ର ହୋଇ ଉଠିଛନ୍ତି। ଜଙ୍ଗଲାଭିମୁଖୀ ହେବା ବଦଳରେ ସେମାନେ ଜନବସତି ସମେତ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି। ନଦୀରୁ ପାଣି ପିଇ ୫୫ନଂ. ଜାତୀୟ ରାଜପଥ ନିକଟବର୍ତ୍ତୀ ସ୍ଥାନରେ ବିଚରଣ କରୁଛନ୍ତି। ସଞ୍ଜ ଗଡ଼ିଲେ ବାଡ଼ିବଗିଚାରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ପ୍ରତିରୋଧ କଲେ ଆକ୍ରମଣ କରିବାକୁ ଗୋଡ଼ାଉଛନ୍ତି। ଅନ୍ୟପଟେ ରେଳଧାରଣା ନିକଟରେ ଦଳବଦ୍ଧ ହୋଇ ବୁଲୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ମଧ୍ୟ ରହୁଛି।
‘ଯାଯାବର’ ଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୂରି ବୁଲୁଥିବା ଏବଂ ଅତ୍ୟଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରୁଥିବାରୁ ବାହାର ହାତୀଙ୍କ ଉପଦ୍ରବରୁ କିପରି ଧନଜୀବନକୁ ସୁରକ୍ଷା କରାଯିବ ତାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଛି। ସ୍ବଳ୍ପ କର୍ମଚାରୀଙ୍କୁ ନେଇ ସେମାନଙ୍କୁ ଘଉଡ଼ାଇବା ମଧ୍ୟ ସହଜ ହେଉନାହିଁ। ଅନେକ ସମୟରେ ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଜିଲାରେ ହାତୀ ଉପଦ୍ରବ ରୋକିବା ଲାଗି କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଯୋଜନା କରୁ ନ ଥିବା ଅଭିଯୋଗ ହେଉଛି। ବନ ବିଭାଗ ମଧ୍ୟ କେବଳ କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରସ୍ତୁତ କରି ହାତ ଟେକି ଦେଉଛି। ତେଣୁ ଜିଲାରେ ହାତୀ-ମଣିଷ ସଂଘର୍ଷ ବଢ଼ିଚାଲିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଢେଙ୍କାନାଳ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ସ୍ଥାୟୀ ଭାବେ ରହୁଥିବା ହାତୀଙ୍କ ପାଇଁ ବିଶେଷ ଚିନ୍ତା ନାହିଁ। ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ସେମାନେ ବାହାରକୁ ଖାଦ୍ୟ ଅନ୍ବେଷଣରେ ଆସିଲେ ମଧ୍ୟ ଜଙ୍ଗଲକୁ ପଳାଉଛନ୍ତି। ହେଲେ ଜିଲା ବାହାର ହାତୀଙ୍କୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏହି ହାତୀମାନେ ଜଙ୍ଗଲକୁ ଯାଉନାହାନ୍ତି। ଗୋଟିଏ ଗ୍ରାମରେ ଫସଲ ଖାଇବା ପରେ ଅନ୍ୟ ଗ୍ରାମ ମୁହଁା ହେଉଛନ୍ତି।ପରଜଙ୍ଗ ଓ ମହାବିରୋଡ୍‌ ଅଞ୍ଚଳର ବହୁ ଚାଷୀ ଚାଷଜମି ନିକଟରେ ସୋଲାର ଫ୍ୟାନ୍ସିଂ କରିଥିବାରୁ ବାହାରୁ ଆସିଥିବା ପ୍ରାୟ ୫୦ଟି ହାତୀ ଅନୁଗୋଳ ଜିଲାକୁ ପଳାଇଥିବା ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Share