ବିଜୁଳି ଯୋଗାଣ ବିଚ୍ଛିନ୍ନ: ମରଣମୁହଁରେ ଶିଶୁ

ଗାଜା ସିଟି,୧୪ା୧୧: ଗାଜା ସିଟିରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବାବେଳେ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଗାଜାର ଅନେକ ହସ୍ପିଟାଲରେ ବିଜୁଳି ଓ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରୁ ରୋଗୀସେବା ବନ୍ଦ ହୋଇଯାଇଛି। ମୁଖ୍ୟ ହସ୍ପିଟାଲ ଅଲ୍‌-ଶିଫାକୁ ହମାସ୍‌ ଆତଙ୍କବାଦୀମାନେ ସେମାନଙ୍କର କମାଣ୍ଡ ଘାଟି ଭାବେ ବ୍ୟବହାର କରୁଥିବା ଓ ସେଠାରେ ଆତ୍ମଗୋପନ କରିଥିବା ଅଭିଯୋଗ କରି ଇସ୍ରାଏଲ୍‌ ସେନା ଏହା ନିକଟରେ ଆକ୍ରମଣ ଜାରି ରଖିଛି। ବିଜୁଳି ଯୋଗାଣ ବିଚ୍ଛିନ୍ନ ହୋଇଯାଇଥିବାରୁ ହସ୍ପିଟାଲରେ ନବଜାତକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ସବୁଜ ରଙ୍ଗର କପଡ଼ାରେ ଗୁଡ଼ାଯାଇ ବିପଜ୍ଜନକ ସ୍ଥିତିରେ ଛାଡ଼ିଦିଆଯାଇଛି। ସେମାନଙ୍କ ପାଇଁ ହସ୍ପିଟାଲରେ ଔଷଧ ମଧ୍ୟ ଶେଷ ହୋଇଯାଇଛି। ବିଜୁଳି, ପାଣି, ଖାଦ୍ୟ, ଔଷଧ, ଡାକ୍ତରୀ ଉପକରଣ ଅଭାବରୁ ରୋଗୀମାନେ ଭଗବାନଙ୍କ ଭରସାରେ ପଡ଼ିରହିଛନ୍ତି। ଦିନକ ପୂର୍ବରୁ ସେଠାରେ ୩୯ ନବଜାତକ ଥିବାବେଳେ ସୋମବାର ତାହା ୩୬କୁ ହ୍ରାସ ପାଇଥିବା ଶିଶୁରୋଗ ବିଭାଗ ମୁଖ୍ୟ ଡ. ମହମ୍ମଦ ତବାଶା କହିଛନ୍ତି। ସୋମବାର ମଧ୍ୟ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହରାଇବାକୁ ପଡ଼ିଛି। ଅନ୍ୟମାନେ କେତେ ସମୟ ତିଷ୍ଠିବେ ତାହା କୁହାଯାଇପାରିବ ନାହିଁ ବୋଲି ତବାଶା କହିଛନ୍ତି। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କୁ ଇନ୍‌କୁବେଟରରେ ରଖାଯିବା ଜରୁରୀ। ବିଜୁଳି ନ ଥିବାରୁ ସେମାନଙ୍କୁ ସାଧାରଣ ଶଯ୍ୟାରେ ପାଖାପାଖି ଶୁଆଇ ଦିଆଯାଇଛି। ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବାରୁ ସେମାନଙ୍କ ମଧ୍ୟରେ ବିଭିନ୍ନ ଭୂତାଣୁ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। ଦୁଗ୍ଧ ଓ ବୋତଲର ଟିଟ୍‌କୁ ଉପଯୁକ୍ତ ବିଶୋଧନ କରାଯାଇ ପାରୁ ନ ଥିବାରୁ ଗ୍ୟାସ୍‌ଷ୍ଟ୍ରିକ୍‌ ସଂକ୍ରମଣ କରିବା ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେଣି। ଫଳରେ ଶିଶୁଙ୍କଠାରେ ଜଳହୀନତା ଦେଖାଦେବା ସହ ଔଷଧ ଓ ଡାକ୍ତରୀ ଉପକରଣ ବିନା ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଶିଶୁମାନଙ୍କ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସମାନଙ୍କ ପାଖରେ ସେମାନଙ୍କୁ ବଞ୍ଚାଇ ରଖିବାର କୌଣସି ଉପାୟ ନାହିଁ।

Share