Categories: ଜାତୀୟ

‘ହରିୟାଣାରେ ସ୍ଥିତି ଭୟାବହ’

ନୂଆଦିଲ୍ଲୀ,୧।୮: ହରିୟାଣାର ନୁହ ଜିଲାରେ ଧାର୍ମିକ ହିଂସା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଅଞ୍ଚଳରେ ପୋଲିସ ଫୋର୍ସ ତଥା ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ଇଣ୍ଟରନେଟ ବନ୍ଦ କରି କର୍ଫ୍ୟୁ ଲାଗୁ କରାଯାଇଛି। ଏଥି ସହ ବିରୋଧୀ ଦଳ ହିଂସା ସମ୍ପର୍କରେ ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଣିପୁର ଭଳି ପରିସ୍ଥିତି ଉପୁଜିବା ପୂର୍ବରୁ ହରିୟାଣା ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି।
କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ଟୁଇଟ୍‌ କରି କହିଛନ୍ତି ଯେ, ହରିୟାଣାର ଅବସ୍ଥା ଭୟଙ୍କର। ମେୱତରୁ ଫରିଦାବାଦ ପର୍ଯ୍ୟନ୍ତ ହିଂସା ବ୍ୟାପିଛି। ପ୍ରଧାନମନ୍ତ୍ରୀ ଏହି ବିଷୟରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ କରିବା ଉଚିତ କାରଣ ଦୁଇଟି ମଣିପୁର ଏକାସାଙ୍ଗରେ ରହିପାରିବେ ନାହିଁ।
ଏହି ହିଂସାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ରାଜ୍ୟରେ ଭାଜପା-ଜେଜେପି ସରକାର ଉପରେ ଆକ୍ରମଣ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଭାଜପା-ଜେଜେପି ସମ୍ପୂର୍ଣ୍ଣ ବିଫଳ ହୋଇଛି। ନୁହରେ ହୋଇଥିବା ହିଂସା ହେଉଛି ସରକାରଙ୍କ ବିଫଳତାର ଫଳାଫଳ। ସରକାର ନିଜର ଦାୟିତ୍ୱ ବୁଝିବା ସହ ଶାନ୍ତି ବଜାୟ ରଖିବା ପାଇଁ ସମ୍ବେଦନଶୀଳତା ସହିତ ସମ୍ଭବ ସମସ୍ତ କାର୍ଯ୍ୟ କରିବା ଉଚିତ୍‌।
ସୂଚନାଯୋଗ୍ୟ, ହରିୟାଣାର ନୁହ ଜିଲା ନନ୍ଦ ଗାଁ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ ଗୋଷ୍ଠୀସଂଘର୍ଷରୁ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା କରାଯାଉଥିବାବେଳେ ଗୁରୁଗ୍ରାମ-ଅଲଓ୍ବାର ଜାତୀୟ ରାଜପଥରେ ଗୋଟିଏ ଗୋଷ୍ଠୀ ଏହାକୁ ଅଟକାଇବା ସହ ଶୋଭାଯାତ୍ରା ଉପରକୁ ଟେକାମାଡ଼ କରିଥିଲା। ଉତ୍ତେଜନା ବଢ଼ିବା ସହ ସରକାରୀ ଓ ଘରୋଇ ଗାଡ଼ିଗୁଡ଼ିକୁ ଟାର୍ଗେଟ କରାଯିବା ସହ କେତେକରେ ନିଆଁ ଲଗାଇଦିଆଯାଇଥିଲା।

Share