ବେଜିଂ, ୧୧।୪ : ଚାଇନାର ଶାଂଘାଇ ଏବଂ ଅନ୍ୟାନ୍ୟ ସହରରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି। ଏଥି ସହିତ, ରବିବାର ଶାଙ୍ଘାଇର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୧,୦୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଛି। ଦେଶରେ କଡାକଡି କରୋନା କଟକଣା ଲାଗୁ କରାଯାଇଛି। ଜିରୋ କୋଭିଡ ପଲିସି ଉପରେ ଗୁରୁତ୍ୱାରୋପ କରାଯାଉଛି।
ରାଷ୍ଟ୍ରପତି ଶି-ଜିନପିଙ୍ଗ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ଲଗାତାର ୯ ଦିନ ଧରି ଶାଙ୍ଘାଇରେ ଦୈନିକ ୨୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ କରାଯାଉଛି। ସଂକ୍ରମଣର ଗତି ମନ୍ଥର କରିବାକୁ ଅଧିକାରୀମାନେ ସହରରେ ଲକ୍ଡାଉନ୍ ଲାଗୁ କରିବା ଜାରି ରଖିଛନ୍ତି।
ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ସୂଚନା ଅନୁଯାୟୀ ରବିବାର ଦିନ ଚାଇନାରେ ୨୪,୯୪୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରବିବାର ଦିନ ଆସିଥିବା ଏହି ମାମଲାଗୁଡ଼ିକ କ୍ରମାଗତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ଦୈନିକ ସଂଖ୍ୟା ବଢୁଥିବାରୁ ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଶାଙ୍ଘାଇର ଜନସ୍ବାସ୍ଥ୍ୟ ଆୟୋଗର ବରିଷ୍ଠ ଅଧିକାରୀ ୱୁ କିଆନୁ କହିଛନ୍ତି ଯେ ରୋଗୀଙ୍କୁ ଏବେ ସେମାନଙ୍କ ଘରେ କ୍ୱାରାଣ୍ଟାଇନରେ ରଖାଯିବ। ଏଥିସହିତ ଚାଇନାର ଗଣମାଧ୍ୟମ କହିଛି ଯେ ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ବାସ କରୁଛନ୍ତି ସେଠାରେ ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ପଡିବ।
ଚାଇନାର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ ୧ରୁ ଚାଇନାର ବାଣିଜି୍ୟକ ଏବଂ ଆର୍ଥିକ ରାଜଧାନୀ ଶାଙ୍ଘାଇରେ ୧୭୯,୦୦୦ରୁ ଅଧିକ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।