ସ୍ଥିତି ପୁଣି ଅଣାୟତ୍ତ ମୁହାଁ, ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଲା…

ନୂଆଦିଲ୍ଲୀ, ୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୧୫୯ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୧୫ ହଜାର ୨୧୨ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୨୦ ହଜାର ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୫ ହଜାର ୩୯୪ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୭୦ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୫ ଲକ୍ଷ ୪୭ ହଜାର ୮୦୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୯ ଲକ୍ଷ ୭ ହଜାର ୩୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୦୯୮ ଜଣ, କେରଳରେ ୨,୬୦୩ ଜଣ, ଦିଲ୍ଲୀରେ ୬୧୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୬୬୨ଜଣ, ହରିୟାଣାରେ ୩୪୯ ଜଣ, କର୍ନାଟକରେ ୮୩୯ ଜଣ, ପଶ୍ଚିମବଙ୍ଗରେ ୧,୯୭୩, ଉତ୍ତରପ୍ରଦେଶରେ ୩୮୩ ଜଣ, ତେଲେଙ୍ଗାନାରେ ୫୫୨, ଗୁଜରାଟରେ ୫୭୨, ରାଜସ୍ଥାନରେ ୧୧୧ ଜଣ, ବିହାରରେ ୩୩୮ ଜଣ, ପଞ୍ଜାବରେ ୧୬୫ ଜଣ, ଆନ୍ଧ୍ରପ୍ରଦେଶରେ ୩୨୨ ଜଣ, ଓଡ଼ିଶାରେ ୨୪୫ ଜଣ, ମଧ୍ୟପ୍ରଦେଶରେ ୩୦୪ ଜଣ, ହିମାଚଳପ୍ରଦେଶରେ ୨୧୪ ଜଣ, ଆସାମରେ ୨୧୦ ଜଣ, ଗୋଆରେ ୧୧୨ ଜଣ, ଛତିଶଗଡ଼ରେ ୧୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୮ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share