ସ୍ଥିତି ଅଣାୟତ୍ତ, ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୭ ହଜାର ୭୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୮ ହଜାର ୮୧୯ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୯ ଥିଲା।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୭ ହଜାର ୧୮୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଲକ୍ଷ ୪ ହଜାର ୫୫୫ ଥିଲା। ସେହିପରି ୨୪ ଘଣ୍ଟାରେ ୧୪ ହଜାର ୪୧୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୩ ହଜାର ୮୨୭ ଥିଲା।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୧୩୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୪ ଲକ୍ଷ ୬୯ ହଜାର ୨୩୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୮ ଲକ୍ଷ ୩୬ ହଜାର ୯୦୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୬୪୦ଜଣ, କେରଳରେ ୪,୦୮୩ଜଣ, ଦିଲ୍ଲୀରେ ୮୬୫ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୦୬୯ ଜଣ, ହରିୟାଣାରେ ୫୩୪ ଜଣ, କର୍ନାଟକରେ ୧,୦୪୬ ଜଣ, ପଶ୍ଚିମବଙ୍ଗରେ ୧,୫୨୪, ଉତ୍ତରପ୍ରଦେଶରେ ୪୩୭ ଜଣ, ତେଲେଙ୍ଗାନାରେ ୪୬୮, ଗୁଜରାଟରେ ୫୪୭, ଗୋଆରେ ୧୮୪ ଜଣ, ରାଜସ୍ଥାନରେ ୧୧୨ ଜଣ, ବିହାରରେ ୧୮୬ ଜଣ, ଛତିଶଗଡ଼ରେ ୧୬୭, ପଞ୍ଜାବରେ ୨୦୧ ଜଣ, ଆନ୍ଧ୍ରପ୍ରଦେଶରେ ୧୯୪ ଜଣ, ଓଡ଼ିଶାରେ ୨୦୪ ଜଣ, ମଧ୍ୟପ୍ରଦେଶରେ ୧୨୬ ଜଣ, ହିମାଚଳପ୍ରଦେଶରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୭ କୋଟି ୭୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share