ସ୍ଥିତି ଅସମ୍ଭାଳ: କରୋନା ବେଲଗାମ୍‌…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୬ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି। ୨୧ ରୁ ୨୬ ଏପ୍ରିଲ୍‌ ମଧ୍ୟରେ ଗତ ୬ ଦିନ ମଧ୍ୟରେ ୨୦ ଲକ୍ଷରୁ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୧୪୪ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇତିମଧ୍ୟରେ ଦେଶରେ ୨୮ କୋଟି ୯ ଲକ୍ଷ ୭୯ ହଜାର ୮୭୭ ଜଣଙ୍କ ନମୁନା ପରୀକ୍ଷା ଶେଷ ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।

Share