Categories: ଜାତୀୟ

୧୭ରେ ଆସୁଛନ୍ତି ୬ ଆଫ୍ରିକୀୟ ଚିତା

ଭୋପାଳ,୭।୯:୧୯୪୭ରେ ଭାରତର ଶେଷ ଚିତାର ମୃତ୍ୟୁ ଘଟିଥିଲା ଛତିଶଗଡ଼ର କୋରେଆ ଜିଲାରେ। ଏହା ପରେ ବିଶ୍ୱର ଦ୍ରୁତତମ ପ୍ରାଣୀକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା। ଏହାର ୭୫ ବର୍ଷ ପରେ ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କକୁ ୬ ଆଫ୍ରିକୀୟ ଚିତା ଆସୁଛନ୍ତି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ସୂଚନା ଦେଇଛନ୍ତି। ଚିତାଙ୍କୁ ନାମ୍ବିଆର ଓ୍ବିଣ୍ଡହୋଏକ୍‌ରୁ ରାଜସ୍ଥାନର ଜୟପୁରକୁ ଅଣାଯିବ। ସେଠାରୁ ସ୍ବତନ୍ତ୍ର ବିମାନରେ ପାଲପୁର ଦେଇ କୁନୋ ଜାତୀୟ ଉଦ୍ୟାନର ଏନ୍‌କ୍ଲୋଜରକୁ ନିଆଯିବ। ଏଥିପାଇଁ ଦୁଇଟି ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଭିଭିଆଇପି ଅତିଥିମାନଙ୍କ ପାଇଁ ୫ ହେଲିପ୍ୟାଡ୍‌ ବ୍ୟବସ୍ଥା କରାଯାଇଛି। ୨୦୦୯ରେ ଆଫ୍ରିକାନ୍‌ ଚିତା ଇଣ୍ଟ୍ରୋଡକ୍ସନ ପ୍ରୋଜେକ୍ଟ ଇନ୍‌ ଇଣ୍ଡିଆର ପରିକଳ୍ପନା କରାଯାଇଥିଲା। କୋଭିଡ୍‌ ମହାମାରୀ ଯୋଗୁ ଏହି ପ୍ରକଳ୍ପ ଆଗେଇ ପାରି ନ ଥିଲା।

Share