ସାଢ଼େ ୬ ମାସ ପରେ କରୋନା ସ୍ଥିତି ଅଣାୟତ୍ତ: ଦିନକରେ ୮୯ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହଜାର ୧୨୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୭୧୪ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାଢ଼େ ୬ ମାସ ପରେ ଦେଶରେ ପୁଣି କରୋନା ସଂକ୍ରମଣର ସ୍ଥିତି ସମାନ ହୋଇଛି। ଏହା ପୂର୍ବରୁ ୧୯୫ ଦିନ ତଳେ ସେପ୍ଟେମ୍ବର ୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ହଜାର ୬୦୫ରେ ପହଞ୍ଚିଥିଲା। ଦେଶରେ ଗତ ୩ ଦିନ ଧରି ଲଗାତାର ମୃତକଙ୍କ ସଂଖ୍ୟା ୪୦୦ରୁ ଅଧିକ ରହିଛି। ଦେଶରେ ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କରୋନା ବେକାବୁ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୭ ହଜାର ୮୨୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୨୦୨ ଜଣଙ୍କର ମୃତ୍ୟୁ କରୋନା ଯୋଗୁ ଘଟିଛି।

Share