ଚଣ୍ଡିଗଡ଼,୩ ।୧: ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଲାଗିଛି ବଡ ଝଟ୍କା । ପଞ୍ଜାବର ବିଧାୟକ ବଲବିନ୍ଦର ସିଂ ଲାଡି ୬ ଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ । ହେଲେ ଏହା ବୋଧହୁଏ ତାଙ୍କୁ ଠିକ୍ ନ ଲାଗିବାରୁ ସେ ପୁଣିଥରେ କଂଗ୍ରେସକୁ ଫେରି ଆସିଛନ୍ତି । ଲାଡି ସୋମବାର କହିଛନ୍ତି, ରବିବାର ରାତିରେ ସେ ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ଚୌଧୁରୀ ଓ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଉପସ୍ଥିତିରେ କଂଗ୍ରେସକୁ ଫେରି ଆସିଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ହରଗୋବିନ୍ଦପୁରର ବିଧାୟକ ଲାଡି କାଦିୟାଂର ବିଧାୟକ ଫତେହଜଙ୍ଗ ସିଂ ବାଜୱାଙ୍କ ସହ ୨୮ ଡିସେମ୍ବରରେ ଭାଜପାରେ ଯୋଗ ଦେଇଥିଲେ । ଉଭୟ ବିଧାୟକ ଭାଜପାର ପଞ୍ଜାବ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ ।