Advertisement

ଶପିଂ କରିବାକୁ ଯାଉଥିଲେ, ସାମ୍ନାକୁ ଗାଈ ଚାଲି ଆସିବାରୁ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୮।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ଗୁରାପଲ୍ଲୀ ନିକଟରେ ଏକ ଅଟୋ ଓଲଟି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପଥରା ଗ୍ରାମ ର ସୁକାନ୍ତ ବେହେରାଙ୍କ ପରିବାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବାରୁ ଏଥିପାଇଁ ଶପିଂ କରିବାକୁ ପରିବାର ସଦସ୍ୟ ଏକ ଅଟୋ ଯୋଗେ ଖଲ୍ଲିକୋଟ ଆସୁଥିଲେ। ଅଟୋ ରେ ପରିବାର ର ୮ ଜଣ ସଦସ୍ୟ ଥିବା ବେଳେ ଗୁରାପଲ୍ଲୀ ନିକଟରେ ଏକ ଗାଈ ଅଟୋ ସମ୍ମୁଖକୁ ଚାଲି ଆସିବାରୁ ଚାଳକ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିଥିଲା। ଅଟୋରେ ବସିଥିବା ପ୍ରାୟ ସମସ୍ତେ ଆହତ ହୋଇଥିଲେ। ଆହତ ମାନେ କମଳିନୀ ବେହେରା (୩୦), ବିଜୟଲକ୍ଷ୍ମୀ ବେହେରା (୨୭), ଆୟୁଷ କୁମାର ବେହେରା (୯), ଆରବ ବେହେରା (୨), ଆଦ୍ୟାଶା ବେହେରା (୧୨), ପ୍ରିୟଦର୍ଶିନୀ ବେହେରା (୧୧) ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ କମଳିନୀ ବେହେରା (୩୦) ଏବଂ ୯ ବର୍ଷ ର ବାଳକ ଆୟୁଷ କୁମାର ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ସଞ୍ଜୟ ବେହେରା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share