କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ

କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ ହୋଇଯାଇଛି। ଏଥିଯୋଗୁ ଜିଲାପାଳଙ୍କ ନିକଟରେ ଚାଷୀମାନେ ମଙ୍ଗଳବାର ଅଭିଯୋଗ କରିଛନ୍ତି।
ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରୋଜେକ୍ଟ ଅଧୀନରେ ତୁର୍ଲା, କରଲାଖୁଣ୍ଟା, କାଣ୍ଡେଲ, ବ୍ରହାଣୀ ଅଞ୍ଚଳକୁ କେନାଲ ପାଣି ଚାଷଜମି ପାଇଁ ଚାଷୀଙ୍କୁ ପାଣି ଦିଆ ଯାଇଥାଏ। କିନ୍ତୁ ଗତ ମାର୍ଚ୍ଚ ମାସରେ କେନାଲ ୨/୩ଜାଗାରେ ଭାଙ୍ଗି ଯାଇଛି। ଚାଷୀମାନେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜକୁ ୬ମାସ ହେଲାଣି କେନାଲ ମରାମତି କରି ନାହାନ୍ତି। ଯାହାଫଳରେ ଧାନ ଚାଷରେ ପାଣିର ଅଭାବ ଯୋଗୁ ଧାନ ମରି ନଷ୍ଟ ହୋଇଛି। ଉଦାହରଣ ସ୍ବରପ କାଣ୍ଡେଲ ଗ୍ରାମର ଜଣେ ଚାଷୀ ଡ଼.ସଦାନନ୍ଦ ପୁଟେଲଙ୍କ ୩ ଏକର ଜମିରେ ଧାନ ରୁଆ କାର୍ଯ୍ୟ ଶେଷ ହୋଇ ଯାଇଛି। କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗା ପକ୍ଷରୁ କେନାଲକୁ ଆଜି ଯାଏ ମରାମତି କରି ନ ଥିବାରୁ ଧାନ ଚାଷ ମରି ନଷ୍ଟ ହେଇଛି। ରୁଆ,ବିହୁଡା ମଧ୍ୟ ହୋଇ ପାରୁ ନାହିଁ। ସ୍ବଳ୍ପବର୍ଷା ଯୋଗୁ ଚାଷୀ ଚାଷ କାମରେ ଆଗେଇ ପାରୁନାହିଁ।
ଏ ନେଇ କରଳାଖୁଣ୍ଟ ପାଣି ପଞ୍ଚାୟତର ସଭାପତି ଜଗବନ୍ଧୁ ନାଏକଙ୍କୁ ପଚାରିବାରୁ ଚାଷୀ ମାନେ ଆସନ୍ତା କାଲି ଶ୍ରମଦାନ କରି କେନାଲ ମରାମତି କରି ପାଣି ଛଡା ଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗାର ଯନ୍ତ୍ରୀ ଜଗନ୍ନାଥ ନାଏକଙ୍କୁ ପଚାରିବାରୁ ରାଜ୍ୟ ସରକାର କୌଣସି ମରାମତି ପାଇଁ ଅର୍ଥ ଦେଇ ନ ଥିବାରୁ ମରାମତି କରାଯାଇ ନାହିଁ, ଚିଫ ଇଂଜିନିୟରଙ୍କୁ ଚିଠି କରାଯାଇଛି, କୌଣସି ଉତ୍ତର ଆସି ନାହି କି ଅର୍ଥ ମଧ୍ୟ ଆସି ନାହିଁ ଆସିଲେ ମରାମତି କରାଯିବ ବୋଲି ପ୍ରକାଶ କରଛନ୍ତି।