୬ ମାସ ପରେ ୧୭ ପଇସା କମିଲା ଡିଜେଲ

ଭୁବନେଶ୍ୱର,୪ା୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭ ପଇସା ହ୍ରାସ ପାଇ ୭୯.୮୬ ଟଙ୍କାକୁ ଖସିଛି। ଏଠାରେ ପେଟ୍ରୋଲ ଅପରିବର୍ତ୍ତିତ ୮୨.୬୪ ଟଙ୍କା ରହିଛି। ଦେଶର ମେଟ୍ରୋ ସହରଗୁଡିକରେ ଗୁରୁବାର ଡିଜେଲ ଦର ୧୫ରୁ ୧୭ ପଇସା ହ୍ରାସ ହୋଇଥିବା ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ୧୬ ପଇସା କମି ୭୩.୪୦ ଟଙ୍କା ରହିଛି। ଏଠାରେ ପେଟ୍ରୋଲ ୮୨.୦୮ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ଡିଜେଲ ୧୫ ପଇସା ହ୍ରାସ ହୋଇ ୭୮.୭୧ ଟଙ୍କା, କୋଲକାତାରେ ୧୬ ପଇସା ନିମ୍ନରେ ରହି ୭୬.୯୦ ଟଙ୍କା ଏବଂ ମୁମ୍ବାଇରେ ୧୭ ପଇସା କମି ୭୯.୯୪ ଟଙ୍କା ରହିଛି। ଏହି ସ୍ଥାନଗୁଡିକରେ ପେଟ୍ରୋଲ ଯଥାକ୍ରମେ ୮୫.୦୪ ଟଙ୍କା, ୮୩.୫୭ ଟଙ୍କା ଏବଂ ୮୮.୭୩ ଟଙ୍କା ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ଲଗାତର ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିଲା। ସେପ୍ଟେମ୍ବର ପହିଲାରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୫ ପଇସା ବୃଦ୍ଧି ଘଟିଥିଲା। ଅଗଷ୍ଟ ମାସରେ ଶେଷ ୧୫ ଦିନ ମଧ୍ୟରେ ପେଟ୍ରୋଲ ୧୩ ଥର ବଢିଛି। ଅଗଷ୍ଟ ୧୬ ପରଠାରୁ ପେଟ୍ରୋଲ ମୋଟ ୧.୬୧ ଟଙ୍କା ବଢିଥିବା ଜଣାପଡିଛି। ଭୁବନେଶ୍ୱରର ପେଟ୍ରୋଲ ଓ ଡିଜେଲ ଦର ଦିଲ୍ଲୀଠାରୁ ଉଚ୍ଚରେ ରହିଛି।

Share