ନୂଆଦିଲ୍ଲୀ,୧୦।୯: ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଅଧିକାଂଶ ଲୋକ ରକ୍ତହୀନତା(ଆନେମିଆ)ର ଶିକାର ହେଉଛନ୍ତି। ରକ୍ତହୀନତାରେ ପୀଡିତ ଦେଶରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ। ଭାରତରେ ୪୯.୯ଶତକଡା ଲୋକ ଏଥିରେ ପୀଡିତ। ଏକ ଅଧ୍ୟୟନ ଅନୁଯାୟୀ, ଦେଶରେ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାର ଶିକାର ହେଉଥିବା ଜଣାପଡିଛି। ପ୍ରତିବର୍ଷ ଦେଶର ୨୧ଟି ରାଜ୍ୟରେ ରକ୍ତହୀନତା ପୀଡିତଙ୍କ ସଂଖ୍ୟା ବଢି ଚାଲିଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସମେତ ଦେଶର ଅନେକ ଅନୁଷ୍ଠାନର ମିଳିତ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି।
ଗ୍ଲୋବାଲ ପବ୍ଲିକ ହେଲଥ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ୧୫ରୁ ୧୯ବର୍ଷ ବୟସର କିଶୋରୀମାନେ ରକ୍ତହୀନତାରେ ଅଧିକ ଶିକାର ହେଉଛନ୍ତି। ଶରୀରରେ ଲୋହିତ ରକ୍ତ କଣିକା(ରେଡ୍ ବ୍ଲଡ ସେଲ୍) ଅଭାବ କିମ୍ବା ରକ୍ତ କଣିକାର କାର୍ଯ୍ୟକାରିତାର ଅଭାବରୁ ରକ୍ତହୀନତା ହୋଇଥାଏ। ଏହି କାରଣରୁ ଶରୀରର ଅଙ୍ଗଗୁଡ଼ିକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ। ଅନୁସନ୍ଧାନକାରୀମାନେ ଯଥାକ୍ରମେ ୨୦୧୫-୧୬ ଓ ୨୦୧୯-୨୧ଏଚଏଫଏଚଏସର ତଥ୍ୟକୁ ମିଶାଇ ୧,୧୬,୧୧୭ ଓ ୧,୯,୪୦୦କିଶୋରୀଙ୍କ ସ୍ବାସ୍ଥ୍ୟ ସମୀକ୍ଷା କରିଛନ୍ତି।
ଦେଶରେ କିଶୋରୀମାନେ ୧୮ବର୍ଷ ବୟସ ପୂର୍ବରୁ ବିବାହ କରୁଛନ୍ତି ଏବଂ ଏଭଳି କ୍ଷେତ୍ରରେ ରକ୍ତହୀନତାର ମାତ୍ରା ମଧ୍ୟ ଅଧିକ ବୋଲି ଜଣାପଡିଛି। ଅଧ୍ୟୟନରେ ଅନ୍ତର୍ଭୁକ୍ତ ୭୦ ପ୍ରତିଶତ କିଶୋରୀ ଗ୍ରାମାଞ୍ଚଳର, ଯାହା ସୂଚାଇ ଦେଉଛି ଯେ ସହର ଅପେକ୍ଷା ଗ୍ରାମାଞ୍ଚଳରେ ରକ୍ତହୀନତାର ସମସ୍ୟା ଅଧିକ ବୃଦ୍ଧି ପାଉଛି। ଦୁଇଟି ସନ୍ତାନ ଥିବା ମାଆଙ୍କ ଅପେକ୍ଷା ମାଆ ହୋଇ ନ ଥିବା କିଶୋରୀଙ୍କ ଠାରେ ରକ୍ତହୀନତା ହେବାର ସମ୍ଭାବନା ଅଧିକ। ସେହିପରି ଅନ୍ୟ ଗୋଷ୍ଠୀ ତୁଳନାରେ ଏସସି ଏବଂ ଏସଟିର କିଶୋରିଙ୍କ ଠାରେ ରକ୍ତହୀନତା ହେବାର ସମ୍ଭାବନା ଅଧିକ ବୋଲି ଅଧ୍ୟନରେ ଜଣାପଡିଛି।
ଆସାମ, ଛତିଶଗଡ ଏବଂ ତ୍ରିପୁରାର କିଶୋରିଙ୍କ ମଧ୍ୟରେ ରକ୍ତହୀନତାର ମାତ୍ରା ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ପଞ୍ଜାବ, କର୍ନାଟକ, ତେଲେଙ୍ଗାନା, ବିହାର ଓ ମଧ୍ୟପ୍ରଦେଶରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଉତ୍ତରାଖଣ୍ଡ ଏବଂ କେରଳରେ ରକ୍ତହୀନତାର ମାତ୍ରା ହ୍ରାସ ପାଇଥିବା ଗବେଷକମାନେ ଉଲ୍ଲେଖ କରିଛନ୍ତି।