Advertisement

ବିଦ୍ୟାଶ୍ରୀଙ୍କ ସମେତ ୪ଜଣଙ୍କ ଲାଏ ଡିଟେକ୍ସନ ହେବ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଦେଢ ମାସରୁ ଊର୍ଦ୍ଧ୍ୱ ବିତିଛି। ହେଲେ ଜିଆର୍‌ପି ଭଳି କ୍ରାଇମବ୍ରାଞ୍ଚ କିଛି ବି ସୁରାକ ପାଇପାରୁନି। ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ,ସହଯୋଗୀ ବିକାଶ, ପପୁ ଓ ପ୍ରୀତମ୍‌ଙ୍କୁ ପଚରାଉଚରାବେଳେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ ତଦନ୍ତ କରୁଥିବା ଟିମ୍‌ ଦ୍ୱନ୍ଦ୍ୱରେ ପଡୁଛି। ଶେଷରେ ସତ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କର ଲାଏ ଡିଟେକ୍ସନ କରିବାକୁ ରସୁଲଗଡ଼ସ୍ଥିତ ଫୋରେନ୍‌ସିକ ବିଭାଗକୁ ଚିଠି ଲେଖିଛି। ତେବେ ଏଥିପାଇଁ ସେମାନେ ରାଜି ଥିବାବେଳେ ବିଭାଗର ଅନୁମତି ମିଳିବା ପରେ ଲାଏ ଡିଟେକ୍ଟର ଟେଷ୍ଟ କରାଯିବ।
ଏପଟେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ଆଦିତ୍ୟଙ୍କ ମା’ ଓ ବାପା। ସେମାନେ କାନ୍ଦି କାନ୍ଦି କହିଛନ୍ତି ଯେ, ଆମର କିଛି ଦରକାର ନାହିଁ, କେବଳ ଆମକୁ ନ୍ୟାୟ ଦରକାର। ପୁଅର ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟାଇ ପ୍ରକୃତ ସତ୍ୟ ସାମ୍ନାକୁ ଅଣାଯାଉ ବୋଲି ସେମାନେ ନିବେଦନ କରିଛନ୍ତି। ଏଥିସହ ଆଦିତ୍ୟଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ନ ଥିବାରୁ ଏହାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାହାର ଉତ୍ତର ରଖିଛନ୍ତି। ସେମାନେ କହିଛନ୍ତି, ପୁଅର ମୃତଦେହ ଦେଖି ହତବାକ ହୋଇଯାଇଥିଲେ। ପିପୁଲ ଫର୍‌ ସେବାର ପିଲାମାନେ କେସ୍‌ ଦେଇଥିଲେ। ତେଣୁ ଓକିଲଙ୍କ ପରାମର୍ଶକ୍ରମେ ସେମାନେ ଆଉ କେସ୍‌ ଦେଇ ନ ଥିଲେ। ତେବେ ତଦନ୍ତ ଚାଲିଥିବାବେଳେ ସେମାନଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପଡୁଥିବା ଆଦିତ୍ୟଙ୍କ ମା’ବାପା କୋହଭରା କଣ୍ଠରେ କହିଛନ୍ତି। ଏଥିସହ କିଛି ଲୋକ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ପୁଅକୁ ହରେଇ ଆମେ ଦୁଃଖରେ ଅଛୁ। ଆମକୁ ସାହାଯ୍ୟ କରି ଆଉ ଦୁଃଖ ନ ଦେବାକୁ ସେମାନେ ପ୍ରକାଶ କରିଛନ୍ତି। ଲୋକେ ଏହାକୁ ଦେଖିବା ପରେ ଆଦିତ୍ୟଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୭ରେ ଲିଙ୍ଗରାଜ ଷ୍ଟେଶନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ବାହାଘରର ମାସେ ନ ପୂରୁଣୁ ଏଭଳି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share