Categories: ଜାତୀୟ

ଓଲଟିଲା ସ୍କୁଲ ବସ୍‌: ଚାଲିଗଲା ୬ ଛାତ୍ରୀଛାତ୍ରଙ୍କ ଜୀବନ

ଚଣ୍ଡିଗଡ଼,୧୧ା୪: ହରିୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳରେ ଗୁରୁବାର ଏକ ସ୍କୁଲବସ୍‌ ଓଲଟିପଡ଼ିବାରୁ ୬ ଛାତ୍ରୀଛାତ୍ର ପ୍ରାଣ ହରାଇବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ସ୍କୁଲର ଉକ୍ତ ବସ୍‌କୁ ଡ୍ରାଇଭର ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଚଳାଉଥିବାରୁ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ଏହା ଏକ ଗଛରେ ଧକ୍କା ହୋଇ ଓଲଟି ପଡ଼ିଥିଲା ବୋଲି ପୋଲିସ କହିଛି। ରିପୋର୍ଟ ଅନୁଯାୟୀ ଡ୍ରାଇଭର ମଦ ନିଶାରେ ଥିଲେ। ତାଙ୍କୁ ଗିରଫ କରାଯାଇଛି।

୩୦ଜଣ ସ୍କୁଲ ପିଲାଙ୍କୁ ନେଇ ବସ୍‌ଟି ଯାଉଥିବାବେଳେ କନିନାର ଉନ୍‌ହାନି ଗ୍ରାମନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁବାର ଇଦ୍‌ ପର୍ବ ପାଇଁ ଛୁଟି ଥିବାବେଳେ ସ୍କୁଲ୍‌ବସ୍‌ କ’ଣ ପାଇଁ ପିଲାମାନଙ୍କୁ ନେଇ ଯାଉଥିଲା ବୋଲି ପ୍ରଶ୍ନ ଉଠିଛି।

ଦୁର୍ଘଟଣାରେ ୬ଜଣ ପିଲାଙ୍କ ଜୀବନ ଯିବା ଦୁଃଖଦ ଘଟଣା ବୋଲି ହରିୟାଣା ଶିକ୍ଷାମନ୍ତ୍ରୀ ସୀମା ତ୍ରିଖା କହିବା ସହ ଆହତମାନଙ୍କ ଚିକିତ୍ସା ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଥିବା କହିଛନ୍ତି। ଛୁଟିଦିନରେ ସ୍କୁଲ କାହିଁକି ଖୋଲା ଥିଲା, ତାହାର ଉତ୍ତର ଜିଲା ଓ ସ୍କୁଲ କର୍ତ୍ତୃପକ୍ଷ ଦେବେ ବୋଲି ସେ କହିଛନ୍ତି।

ଆହତ ଛାତ୍ରମାନଙ୍କ କହିବା ଅନୁଯାୟୀ ଡ୍ରାଇଭର ଖୁବ୍‌ ଜୋର୍‌ରେ ଚଳାଉଥିବାରୁ ବସ୍‌କୁ ନିୟନ୍ତ୍ରଣ କରିପାରିଲେ ନାହିଁ। ସେ ମଦ ପିଇଥିବା ଭଳି ଜଣାପଡ଼ୁଥିଲେ। ଏପରିକି ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣାର କିଛି ସମୟ ପୂର୍ବରୁ ତାଙ୍କୁ କେତେଜଣ ଗ୍ରାମବାସୀ ଅଟକାଇ ତାଗିଦ କରିଥିଲେ ବୋଲି ୨ ଆହତ ଛାତ୍ରଙ୍କ ଜେଜେ ହନୁମାନ ସିଂ କହିଛନ୍ତି।

Share